
ବାସ୍ତବବ୍ୟୁରୋ(ପୁରୀ): ଶ୍ରୀଜଗନ୍ନାଥ ଚେତନା ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ଆନୁକୂଲ୍ୟରେ ଶ୍ରୀକ୍ଷେତ୍ର ଧାମ ଦୁଦୁୱଲା ଧର୍ମଶାଳା ପୁରୀ ଠାରେ ଶ୍ରୀଜଗନ୍ନାଥ ଚେତନା ଶିବିର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।
ଅନୁଷ୍ଠାନର ଦଳପତି ଡଃ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଓଡ଼ିଶାର ପ୍ରାୟ ସହସ୍ରାଧିକ ଚାରଣ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ରାଧାବଲ୍ଲଭ ମଠର ମହନ୍ତ ପୂଜ୍ୟ ସ୍ୱାମୀ ରାମକୃଷ୍ଣ ଦାସ ମହାରାଜ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଉପଦେଷ୍ଟା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର, ଶ୍ରୀମନ୍ଦିର ସେବାୟତ ଶ୍ରୀଯୁକ୍ତ ଜଗନ୍ନାଥ ପୂଜା ପଣ୍ଡା ସାମନ୍ତ, ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ପଣ୍ଡା, ଶ୍ରୀଯୁକ୍ତ ଗୋପାଳ ଖୁଣ୍ଟିଆ, ଶ୍ରୀଯୁକ୍ତ ପଦ୍ମନାଭ ପଣ୍ଡା, ଶିକ୍ଷାବିତ ଡଃ ପ୍ରଭୁ ଚରଣ ମହାନ୍ତି, ଶ୍ରୀଯୁକ୍ତ ଅଜୟ ନାୟକ ପ୍ରମୁଖ ଯୋଗଦାନ କରି ଉପସ୍ଥିତ ଭକ୍ତ ମାନଙ୍କୁ ଆଶୀର୍ବଚନ ଓ ପ୍ରବଚନ ମାଧ୍ୟମରେ ମହାପ୍ରଭୁଙ୍କ ଦିବ୍ୟ ଚେତନା ପ୍ରଦାନ କରିଥିଲେ।
ସଂସାରରେ ସୁସ୍ଥ ସମାଜ ଗଠନ କରିବା ପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚେତନାକୁ ନିଜ ଜୀବନରେ ଆଚରଣ କରିବା ଉଦ୍ଦେଶ୍ୟରେ ହେଉଥିବା ଏହି ବିଶାଳ କାର୍ଯ୍ୟକ୍ରମକୁ ଅତିଥି ମାନେ ଭୂୟୋଶୀ ପ୍ରଶଂସା କରିଥିଲେ। ଇତ୍ୟବସରରେ ଅତିଥି ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନୀତ କରାଯାଇଥିବା ବେଳେ ମହାପ୍ରଭୁଙ୍କ ଚେତନା ପ୍ରଚାର କରୁଥିବା ଚାରଣ ଗୋଷ୍ଠୀକୁ ସେବା ଓ ସହଯୋଗ ପ୍ରଦାନ କରୁଥିବା ସୁନୀତା ସାହୁ ଓ ମହେନ୍ଦ୍ର ସାହୁଙ୍କୁ ମଧ୍ୟ ଅନୁଷ୍ଠାନ ତରଫରୁ ସମ୍ମାନୀତ କରାଯାଇଥିଲା। ଭାଗବତାକାର ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା ମଞ୍ଚରେ ଭାଗବତ କଥା ସିଧା ପ୍ରସାରଣ ମାଧ୍ୟମରେ ପ୍ରଦାନ କରିଥିଲେ।
ପତ୍ରିକା ସମ୍ପାଦକ ପଣ୍ଡିତ ଗଣେଶ୍ୱର ପରିଡ଼ା, ସଂଗଠନ ସମ୍ପାଦକ ବଂଶୀଧର ପରିଡ଼ା, ବରିଷ୍ଠ ଚାରଣ ବିଦ୍ୟାଧର ପୃଷ୍ଟି, ଉପଦେଷ୍ଟା ପଣ୍ଡିତ ଲିଙ୍ଗରାଜ ପତି,ଯୁବ ଚାରଣ ଇଂ ଦେବବ୍ରତ ସିଂହ, କାହ୍ନୁ ଚରଣ ସାହୁ, ଭରତ ଚନ୍ଦ୍ର ନାଥ, ତରଣୀସେନ ଲେଙ୍କା, ହେମନ୍ତ କୁମାର ସୂତାର, ସଞ୍ଜୟ ରାଉତ, ଚନ୍ଦ୍ରକାନ୍ତ ବସ୍ତିଆ, ତ୍ରିଲୋଚନ ପ୍ରସାଦ,ରୀନାରାଣୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଅଶେଷ ଭାବରେ ସହଯୋଗ କରିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଚାରଣ ମାଆମାନେ ଓ ଭାଇମାନଙ୍କୁ ଅତିଥି ମାନେ ଆଶୀର୍ବାଦ କରିଥିଲେ। ପରିଶେଷରେ ମହାପ୍ରଭୁଙ୍କ ଦିବ୍ୟ ଆଳତି ପରେ ସମସ୍ତେ ପ୍ରସାଦ ସେବନ କରିଥିଲେ।



