ଦୁଷ୍କର୍ମ ମାମଲାରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଗିରଫ ହେବା ପ୍ରସଙ୍ଗ….

କଂଗ୍ରେସ ଦଳର ଦୋମୁହାଁ ନୀତି ସ୍ପଷ୍ଟ ହୋଇଛି: ଅଭିଳାଷ ପଣ୍ଡା
 ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଉଦିତ୍‌ଙ୍କ ଅସଲ ଚେହେରା ପଦାରେ ପଡିଛି
 ମହିଳାଙ୍କୁ ନ୍ୟାୟ ପାଇଁ ଦେବାପାଇଁ ଆନ୍ଦୋଳନ କରୁଥିବା ବ୍ୟକ୍ତି ନିଜେ ଦୁଷ୍କର୍ମୀ ବୋଲି ଜଣାପଡ଼ିଛି
 ବହୁ ଅପରାଧିକ ମାମଲାରେ ଜଡ଼ିତ ଥିଲେ ଉଦିତ୍‌
 ନୈତିକକା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ଭକ୍ତ ଦାସ
 ରାହୁଲ ଗାନ୍ଧୀଙ୍କ ଟୁଇଟ୍‌କୁ ଅପେକ୍ଷା ରହିଲା

ଭୁବନେଶ୍ୱର(ନି.ପ୍ର)୨୧/୦୭: ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗତକାଲି ଭୁବନେଶ୍ୱରର ମଂଚେଶ୍ୱର ଥାନାରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଆଧାରରେ ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯାଇଛି। ସେ ହେଲେ କଂଗ୍ରେସ ଦଳର ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ।

ଗତ କିଛିଦିନ ତଳେ ଅଭିଯୁକ୍ତ ଉଦିତ୍ ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ଏଥିସହ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କର ଇସ୍ତଫା ଦାବି କରି କୁଶପୁତଳିକା ଦାହ କରୁଥିଲେ। ରାଜରାସ୍ତା ବନ୍ଦ କରି ଜନସାଧାରଣଙ୍କୁ ହଇରାଣ କରୁଥିଲେ। ଆଜି ତାଙ୍କର ଅସଲ ଚେହେରା ପଦାରେ ପଡିଯାଇଛି। ମହିଳାଙ୍କୁ ନ୍ୟାୟ ପାଇଁ ଦେବାପାଇଁ ଆନ୍ଦୋଳନ କରୁଥିବା ବ୍ୟକ୍ତି ନିଜେ ଦୁଷ୍କର୍ମୀ ବୋଲି ଜଣାପଡ଼ିଛି।

କଂଗ୍ରେସ ଦଳ ବର୍ତମାନ ସୁଦ୍ଧା ଉଦିତ୍‌ଙ୍କୁ ଖାଲି ପଦରୁ ନିଲମ୍ବନ କରିି ନିଜ କର୍ତବ୍ୟ ଶେଷ କରିଦେଇଛି ବୋଲି ଭାବୁଛି। ଆଉ ତାଙ୍କ ଦଳ ଉପରେ କେହି ଆଙ୍ଗୁଠି ଉଠାଇବେ ନାହିଁ ବୋଲି ଆଶାବାନ୍ଧି ବସିଛି। ଏହାକୁ ଯେତେ ନିନ୍ଦା କଲେ ତାହା କମ୍ ହେବ। ଉଦିତ୍ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ହେବାର ବହୁ ପୂର୍ବରୁ ମଧ୍ୟ ବିଭିନ୍ନ ଆପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିଲେ। ୨୭ ମେ ୨୦୨୪ରେ ଖଣ୍ଡଗିରି ଥାନାରେ ଉଦିତ୍‌ଙ୍କ ନାମରେ ଡକାୟତି ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ ଟଙ୍କା ଠକେଇ, ଅପରାଧିକ ମାନସିକତା ରଖି ମାରଧର କରିବା ଭଳି ଅଭିଯୋଗ ମଧ୍ୟ ତାଙ୍କ ନାମରେ ରହିଛି।

ଏସବୁ ଅପରାଧ ବିଷୟରେ ଜାଣିବା ସତ୍ୱେ ଥାନାରେ ଏଫଆଇଆର୍ ହେବାର ମାତ୍ର ତିନି ମାସ ପରେ ଅର୍ଥାତ୍ ୧୩ ଅଗଷ୍ଟ ୨୦୨୪ରେ କଂଗ୍ରେସ ତାଙ୍କୁ ପୁରସ୍କାର ଦେଇ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ଦେଇଛି। ଏଭଳି ଅପରାଧିଙ୍କୁ କାହିଁକି ନିଯୁକ୍ତି ଦିଆଯାଇଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିରୁ କଂଗ୍ରେସର ଦୋମୁହାଁ ନୀତି ସ୍ପଷ୍ଟ ହୋଇଛି ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି ଯେ, କିଛିଦିନ ତଳେ ପିସିସି ସଭାପତି ଭକ୍ତ ଦାସ ବାଲେଶ୍ୱର ଏଫ୍‌ଏମ୍ କଲେଜ ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରୁଥିଲେ। ରାଜରାସ୍ତାକୁ ଓହ୍ଲାଇଥିଲେ। ନୈତିକତା ଆଧାରରେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିଲେ। ଆଜି ତାଙ୍କ ଦଳର ନେତା ଯାହା ନଁାଁରେ ଦୁଷ୍କର୍ମଠାରୁ ଆରମ୍ଭ ଅନ୍ୟାନ୍ୟ ଆପରାଧିକ ମାମଲା ରହିଛି ସେଭଳି ବ୍ୟକ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତି ଦେଇଥିବାରୁ ନୈତିକତା ଦୃଷ୍ଟିରୁ ଭକ୍ତ ଦାସ ନିଜେ ଦିଅନ୍ତୁ।

କଂଗ୍ରେସର ସର୍ବୋଚ୍ଚ ନେତା ରାହୁଲ ଗାନ୍ଧୀଙ୍କ ସହ ମଧ୍ୟ ଅଭିିଯୁକ୍ତ ଉଦିତ୍‌ଙ୍କ ସହ ଫଟୋ ରହିଛି। ରାହୁଲ ଗାନ୍ଧୀ ପ୍ରତ୍ୟେକ ଘଟଣାରେ ଦିଲ୍ଲୀରୁ ଟୁଇଟ୍ କରୁଥିବାବେଳେ ନିଜ ଦଳର ନେତାଙ୍କ ଆପରାଧିକ କାର୍ଯ୍ୟକଳାପ ମାମଲାରେ ଟୁଇଟ୍ କରିବେ କି? କଂଗ୍ରେସର ରାଷ୍ଟ୍ରୀୟ ମହିଳା ସଭାନେତ୍ରୀ ଅଳକା ଲାମ୍ବା ଯିଏକି ଦିଲ୍ଲୀରେ ବସି ଓଡ଼ିଶାର ଯୁବ ବିଧାୟିକା ସୋଫିଆ ଫିରଦୋସଙ୍କୁ ଡକାଇ ନାରୀ ସୁରକ୍ଷା ପ୍ରସଙ୍ଗରେ ସେଠାରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ ଆଜି ତାଙ୍କ ନେତାଙ୍କ ବଳାତ୍କାର ମାମଲା ଉପରେ କୌଣସି ସାମ୍ବାଦିକ ସମ୍ମିଳନୀ କରିବେ କି? ନାରୀ ନିର୍ଯ୍ୟାତନା ମାମଲାରେ କଂଗ୍ରେସ ଦଳର ଲମ୍ବା ଇତିହାସ ରହିଛି।

ଅଞ୍ଜନା ମିଶ୍ରଠାରୁ ଆରମ୍ଭ କରି ଛବିରାଣୀ ହତ୍ୟାକାଣ୍ଡ, ନୈନା ସାହାଣୀ ଘଟଣା ପର୍ଯ୍ୟନ୍ତ ସବୁଥିରେ କଂଗ୍ରେସ ଦଳ ନେତାଙ୍କ ସମ୍ପୃକ୍ତି ରହିଛି। ମାତ୍ର ତତ୍କାଳୀନ କଂଗ୍ରେସ ସରକାର ସେମାନଙ୍କୁ ନ୍ୟାୟ ଦେଇ ପାରି ନଥିଲା। ଆଜି ବି ମଧ୍ୟ ପ୍ରଧାନଙ୍କ ପରି ବହୁ କଗ୍ରେଂସ ନେତା ନାରୀ ନିର୍ଯ୍ୟାତନାରେ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ କଂଗ୍ରେସ ଘଂଟ ଘୋଡାଉଥିବାବେଳେ ବିଜେପି ସରକାର ମହିଳା ହିଂସା କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କୌଣସି ସ୍ଥାନରେ ମହିଳାଙ୍କ ପ୍ରତି ଅନ୍ୟାୟ ହେଲେ ଅଭିଯୁକ୍ତ ଯିଏବି ହେଉନା କାହିଁକି, ସେଯେତେ ଶକ୍ତିଶାଳୀ ହେଲ ମଧ୍ୟ ସେମାନଙ୍କୁ ଛଡ଼ାଯାଇନାହିଁ। ଏଫ୍‌ଏମ୍ କଲେଜ ଘଟଣା ରାଜ୍ୟ ସରକାରଙ୍କ ସଂଜ୍ଞାନକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ହେବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ମହିଳା ସୁରକ୍ଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। ବାଲେଶ୍ୱର ଏଫ୍‌ଏମ୍ କଲେଜ ପ୍ରସଙ୍ଗ ହେଉ ଅବା ବଳଙ୍ଗା ଘଟଣା ହେଉ ଏସବୁ ମାମଲାରେ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ଅଭିଯୁକ୍ତ ଅଧ୍ୟାପକ ଓ କଲେଜ ଅଧ୍ୟକ୍ଷକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବଳଙ୍ଗା ଘଟଣାରେ ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ପାଇଁ ଦିଲ୍ଲୀ ଏୟାର ଲିପ୍ଟ କରାଯାଇଥିବାବେଳେ ଉଭୟ ଘଟଣାରେ କ୍ରାଇମ୍‌ବ୍ରାଂଚ ତଦନ୍ତ ଜାରି ରହିଛି। ଏସବୁ ଘଟଣାରେ ସମ୍ପୃକ୍ତ କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ। ମାତ୍ର କଂଗ୍ରେସ ତାଙ୍କ ଦଳୀୟ ନେତାଙ୍କ କାର୍ଯ୍ୟକଳାପରେ କିଭଳି କାର୍ଯ୍ୟାନୁଷ୍ଠାନ ନେବ ତାହାକୁ ଦେଖିବାକୁ ବାକି ରହିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ପାଇକରାୟ, ରାଜ୍ୟ ସଂଯୋଜକ ଚଣ୍ଡୀପ୍ରସାଦ ବେହେରା, ଭୁବନେଶ୍ୱର ଜିଲା ଯୁବ ମୋର୍ଚ୍ଚା ସଭାପତି ସ୍ୱୟଂସେବକ ରାୟ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ତିନି ଆରଡିସି ଅଫିସ ଆଗରେ ଗର୍ଜିଲା ବିଜେଡି....

Tue Jul 22 , 2025
ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ ଦାବିହଜାର ହଜାର ବିଜେଡି କର୍ମୀ ବିକ୍ଷୋଭରେ ସାମିଲମୋହନ ସରକାର ହଟାଅ ନାରାରେ କମ୍ପିଲା ବିକ୍ଷୋଭସ୍ଥଳଭୁବନେଶ୍ୱର(ନି.ପ୍ର( ୨୧/୦୭/: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ମହିଳାଙ୍କ ବିରୋଧରେ ଅପରାଧରେ ଅହେତୁକ ବୃଦ୍ଧି ବିରୋଧରେ ଓ ଏଫଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ବିଜୁ ଜନତା ଦଳ ତରଫରୁ କଟକ, ସମ୍ୱଲପୁର ଓ ବ୍ରହ୍ମପୁରରେ ଥିବା ଆରଡିସି […]

You May Like

Breaking News

Pin It on Pinterest