
ରାଉରକେଲା(ବାସ୍ତବକଥା): ସୁନ୍ଦରଗଡ଼ ଜିଲ୍ଲା ପୋଲିସ୍ ପକ୍ଷରୁ ” ନିଶା ମୁକ୍ତ ” ଅଭିଯାନ ଅଧୀନରେ ପ୍ଲାଣ୍ଟସାଇଟ୍ ପୋଲିସ୍ ୨୨୦ ଗ୍ରାମ୍ ହେରୋଇନ୍ ଜବତ୍ କରିବା ସହିତ ୬ ମହିଳାଙ୍କ ସମେତ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ ୨୦୨୬ ମଇ ୨୩ ତାରିଖ ସକାଳେ ପ୍ଲାଣ୍ଟସାଇଟ୍ ଥାନା ଅଧୀନସ୍ଥ ମହତାବ ରୋଡ୍ ଅଞ୍ଚଳର ମୀନାପଡ଼ାରେ ଏକ ସ୍ୱତନ୍ତ୍ର ଚଢାଉ କରାଯାଇଥିଲା। ଏଥିସହିତ ପ୍ଲାଣ୍ଟସାଇଟ୍ ଥାନାର ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଥିବା ବ୍ରାଉନ୍ ସୁଗାର ଚାଲାଣ ନେଟୱାର୍କକୁ ସଫଳତାର ସହ ଠାବ କରିଥିଲା ରାଉରକେଲା ପୋଲିସ୍।
ଚଢାଉ ସମୟରେ ୨ ଯୁବକଙ୍କ ସମେତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ହେରୋଇନ୍ ଜବତ୍ କରାଯାଇଛି ବୋଲି ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ।

ଅଭିଯୁକ୍ତମାନେ ବେଆଇନ ଭାବରେ ଚୋରା ହେରୋଇନ୍ (ବ୍ରାଉନ୍ ସୁଗାର) ରଖିବା ସହ ବିକ୍ରି କରୁଥିଲେ। ଅଭିଯୁକ୍ତମାନେ ବେଆଇନ ଆର୍ଥିକ ଲାଭ ପାଇଁ ସ୍କୁଲ ଏବଂ କଲେଜରେ ପଢୁଥିବା ଛାତ୍ରଙ୍କ ସମେତ ସାଧାରଣ ଜନତାଙ୍କୁ ନିଶାଦ୍ରବ୍ୟ ଯୋଗାଣରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତଙ୍କ ମଧ୍ଯରେ- ରୋସନ ଖାତୁନ୍ ଓରଫ୍ ଶାନ୍ତି (୫୫) ବର୍ଷ, ଫରିଦା ଖାତୁନ୍ ଓରଫ୍ ଜରି ୱାଲି (୫୦) ବର୍ଷ, ଏମଡି. ଇମ୍ରାନ୍ ଆଲମ (୨୮) ବର୍ଷ, ଏମଡି. ଆଲାମ (୨୪) ବର୍ଷ, ନୁରେଶା ଖାତୁନ୍ (୫୫) ବର୍ଷ, ରହୀମା ଖାତୁନ୍ ଓରଫ୍ ରୀତା (୫୮)ବର୍ଷ, ମନୀଷା ଖାତୁନ୍ (୨୫)ବର୍ଷ, ମଧୁ ଓରଫ ନୁରେଶା ଖାତୁନ୍ (୫୯)ବର୍ଷ।
ଅଭିଯୁକ୍ତଙ୍କ ନିକଟରୁ ୭ଟି ସେଲଫ୍ ଲକଡ୍ ପଲିଥିନ୍ ପ୍ଯାକେଟରେ ୨୨୦ ଗ୍ରାମ୍ ହୋରୋଇନ୍ (ବ୍ରାଉନ ସୁଗାର), ତିନୋଟି ମୋବାଇଲ ଫୋନ୍ ଏବଂ ନଗଦ ୨ ଲକ୍ଷ ୭୦ ହଜାର ୨୪୦ ଟଙ୍କା ଜବତ୍ କରାଯାଇଛି।
ଅଭିଯୁକ୍ତ ଏମଡି. ଆଲାମ୍ ବିରୋଧରେ ପୂର୍ବରୁ ପ୍ଲାଣ୍ଟସାଇଟ୍ ଥାନାରେ ଗୋଟିଏ ଏବଂ ବନ୍ଧମୁଣ୍ଡା ଥାନାରେ ଗୋଟିଏ ଏନଡିପିଏସ୍ ମାମଲା ରହିଛି। ସେହିପରି ଅଭିଯୁକ୍ତ ଏମଡି. ଆଲାମ୍ ନାମରେ ପୂର୍ବରୁ ରାଉରକେଲା ଜିଆରପି ଥାନାରେ ମାମଲା ୧୬୯/୨୦୨୪ ବିଏନ୍ଏସ୍ ଧାରା ୩୧୬(୨)/୩୧୭(୨) ଏବଂ ପ୍ଲାଣ୍ଟସାଇଟ୍ ଥାନାର ମାମଲା ୨୬୪/୨୦୨୧ ଆଇପିସିର ଧାରା ୨୯୪/୩୨୩/୩୪୧/୩୫୪/୫୦୬/୩୪ରେ ମାମଲା ରହିଛି। ଅଭିଯୁକ୍ତ ମଧ ଓରଫ୍ ନୁରେଶା ଖାତୁନ୍ ନାମରେ ପୂର୍ବରୁ ଗୋଟିଏ ଏନଡିପିଏସ୍ ମାମଲା ରହିଛି।
ଅଭିଯୁକ୍ତମାନଙ୍କୁ ପ୍ଲାଣ୍ଟସାଇଟ୍ ଥାନା କେସ୍ ନଂ-୫୩୮/ ତାରିଖ ୨୩.୦୫.୨୦୨୬ ଏନଡିପିଏସ୍ ଧାରା ୨୧(ବି)ରେ କୋର୍ଟ ଚାଲାଣ କରାଯାଇଛି।ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ଯେ ” ନଶା ମୁକ୍ତ ” ଅଭିଯାନ ଜାରି ରହିବା ସହିତ ଏହି ଏନଡିପିଏସ୍ ମାମଲାର ତଦନ୍ତ ଜାରି ରହିଛି।



