
କେନ୍ଦ୍ରାପଡା(ଚତୁର୍ଭୁଜ ଦାଶ):ସମଗ୍ର ଦେଶ ସ୍ବାଧୀନତା ର ୮୦ ବର୍ଷ ପାଳନ କରୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଡିହସାହି ଗ୍ରାମର ବାସିନ୍ଦା ଜଳବନ୍ଦୀ ହୋଇଥୂବାର ଦେଖିବାକୁ ମିଳିଛି।ଏହା କେବଳ ପାଣି ଜମିବାର ଦୃଶ୍ୟ ନୁହେଁ ବରଂ
ଏହା ହେଉଛି ବର୍ଷବର୍ଷ ଧରି ଜଳ ନିଷ୍କାସନର ପଥ ବନ୍ଦ ହୋଇ ରହିଥିବା ଏକ ଗ୍ରାମର ନିରବ ଆହ୍ୱାନ।ଡିହସାହି ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳର ଲୋକେ ଦୀର୍ଘଦିନ ଧରି ଜଳବଦ୍ଧତାର ଯନ୍ତ୍ରଣା ଭୋଗ କରୁଛନ୍ତି। ବର୍ଷା ଆସିଲେ ଜଳ ଆସେ, କିନ୍ତୁ ସେହି ଜଳ ନିଷ୍କାସନ ର ପଥ ନାହିଁ ,ଫଳରେ ଜଳ ଦିନେ ଦିନେ ଜମି ରହେ ଏବଂ ଏହା ସହିତ ଲୋକଙ୍କ ଜଳବନ୍ଦୀ ସମସ୍ୟା ମଧ୍ୟ ବଢ଼ିଚାଲେ।
ଡିହସାହି ନିକଟସ୍ଥ ସେହନାଇ ମଣ୍ଡପ ମାର୍କେଟ୍ କମ୍ପ୍ଲେକ୍ସ ସମ୍ମୁଖସ୍ଥ ହରିପୁର କେନାଲ ରୋଡ୍ ନିକଟରେ ପୁଣ୍ଡିଲୋ ଶାଖା କେନାଲ ତଳେ ପ୍ରାୟ ୧୯୭୦ ମସିହାରୁ ଏକ ଅଣ୍ଡର ସାଇଫନ୍ ରହିଥିବା ଜଣାଯାଏ। କେନାଲର ଗୋଟିଏ ପାର୍ଶ୍ୱର ଜଳକୁ ଅନ୍ୟ ପାର୍ଶ୍ୱକୁ ନିଷ୍କାସନ କରିବା ଥିଲା ଏହାର ମୂଳ ଉଦ୍ଦେଶ୍ୟ। କିନ୍ତୁ ସେହି ବ୍ୟବସ୍ଥା ଆଜି ଅକାମୀ ହୋଇପଡିଛି।ଅଣ୍ଡର ସାଇଫନ୍ରେ ପଙ୍କ, ମାଟି, ଆବର୍ଜନା ଜମିବା, ଗଠନଗତ ତ୍ରୁଟି ଓ ଦୀର୍ଘଦିନର ରକ୍ଷଣାବେକ୍ଷଣ ର ଅଭାବ ଯୋଗୁଁ ଡିହସାହି ତଥା ଆଖପାଖ ଅଞ୍ଚଳର ଲୋକମାନେ ଜଳବନ୍ଦୀ ର ଶିକାର ହେଉଛନ୍ତି। ବର୍ତ୍ତମାନ ସମସ୍ତ ଗ୍ରାମବାସୀଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଯେ, ଏହି ଜଳ କେବେ ନିଷ୍କାସିତ ହେବ?
ଜଳବଦ୍ଧତା ଯୋଗୁଁ ଗ୍ରାମବାସୀଙ୍କ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି। ଯାତାୟାତ, ଦୈନନ୍ଦିନ କାର୍ଯ୍ୟ, କୃଷି ଓ ପରିବେଶ—ସବୁ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ୁଛି। ଏହି ବିଷୟକୁ ନେଇ ସ୍ଥାନୀୟ ଯୁବ ସମାଜସେବୀ ଶ୍ରୀ ପ୍ରୀତିକାନ୍ତ ଶତପଥୀ ଓ ଅନ୍ୟ ଯୁବକମାନେ ଚିନ୍ତିତ ହୋଇପଡ଼ିଥିବା ବେଳେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବା ପୂର୍ବରୁ ଏହାର ସ୍ଥାୟୀ ସମାଧାନ ଲାଗି ଏକ ଅନୁରୋଧ ପତ୍ର ମାନ୍ୟବର ମୂଖ୍ୟମନ୍ତ୍ରୀ, ଓଡ଼ିଶା ଙ୍କୁ ଦେବା ସହ ଏହାର ନକଲ ତହସିଲଦାର, ଗରଦପୁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗରଦପୁର ଓ ଅଧୂକ୍ଷଣ ଯନ୍ତ୍ରୀ, ଜଳସମ୍ପଦ ବିଭାଗ, ଜଗତପୁର ଙ୍କୁ ବିହିତ ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରଦାନ କରାଯାଇଛି। ଅନୁରୋଧ ମୂଳକ ଦାବିପତ୍ର ରେ:-
୧. ଘଟଣାସ୍ଥଳକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ଦ୍ୱାରା ତୁରନ୍ତ ପରିଦର୍ଶନ କରାଯାଉ।
୨. ପ୍ରାୟ ୧୯୭୦ ମସିହାରୁ ରହିଥିବା ଅଣ୍ଡର ସାଇଫନ୍ର ବିସ୍ତୃତ ବୈଷୟିକ ଯାଞ୍ଚ କରାଯାଉ।
୩. ଅଣ୍ଡର ସାଇଫନ୍ ମଧ୍ୟରେ ପଙ୍କ, ମାଟି କିମ୍ବା ଆବର୍ଜନା ଥିଲେ ତୁରନ୍ତ ସଫା କରାଯାଉ।
୪. ଗଠନଗତ ତ୍ରୁଟି ଥିଲେ ଆବଶ୍ୟକ ମରାମତି କିମ୍ବା ପୁନଃନିର୍ମାଣ କରାଯାଉ।
୫. ଡିହସାହି ଅଞ୍ଚଳର ଜମି ରହୁଥିବା ଜଳକୁ ପୁଣ୍ଡିଲୋ ଶାଖା କେନାଲର ଅନ୍ୟ ପାର୍ଶ୍ୱକୁ ସୁଚାରୁ ଭାବରେ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉ।
୬. ଆବଶ୍ୟକତା ଅନୁଯାୟୀ ନୂତନ ଡ୍ରେନ୍, କଲଭର୍ଟ, ସାଇଫନ୍ କିମ୍ବା ଅନ୍ୟ କୌଣସି ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ବୈଷୟିକ ପ୍ରସ୍ତାବ ପ୍ରସ୍ତୁତ କରାଯାଉ।
୭. କେବଳ ଅସ୍ଥାୟୀ ଭାବେ ପାଣି ହଟାଇ ଦେବାରେ ସୀମିତ ନରହି, ସମସ୍ୟାର ମୂଳ କାରଣ ଚିହ୍ନଟ କରି ସ୍ଥାୟୀ ସମାଧାନ କରାଯାଉ।
ଯଦି ଆସନ୍ତା ୧୫ ଦିନ ମଧ୍ୟରେ ଏହି ସମସ୍ୟା ର ସମାଧାନ ଦିଗରେ ଓଡ଼ିଶା ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ପଦକ୍ଷେପ ନ ନିଅନ୍ତି ତେବେ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଗ୍ରାମବାସୀ ଙ୍କ ପକ୍ଷରୁ କୁହାଯାଇଛି।



