
ତେନ୍ତୁଳିଖୁଣ୍ଟି(ବାସ୍ତବ କଥା):୨୨/୮-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବରଡ଼ାଜୋଡ଼ି ଗ୍ରାମରେ ପୁଣିଥରେ ରାସ୍ତା ଅଭାବର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗର୍ଭବତୀ ମହିଳା ଅସୁସ୍ଥ ହେବା ପରେ ଆମ୍ବୁଲାନ୍ସ ଗାଁ ଭିତରକୁ ପହଞ୍ଚି ନପାରିବାରୁ ପରିବାର ସଦସ୍ୟ ଓ ଗ୍ରାମର ଯୁବକମାନେ ତାଙ୍କୁ ଖଟିଆରେ ବୋହି ପ୍ରାୟ ଦୁଇ କିଲୋମିଟର ଦୂରକୁ ନେବାକୁ ବାଧ୍ୟ ହୋଇଥିଲେ।
ସୂଚନା ଅନୁସାରେ, ବରଡ଼ାଜୋଡ଼ି ଗ୍ରାମର ପୁରୁନ ଜାନିଙ୍କ ପତ୍ନୀ ମଇନା ଜାନି ଅସୁସ୍ଥ ହୋଇପଡ଼ିବା ପରେ ପରିବାର ପକ୍ଷରୁ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ତେବେ ରାସ୍ତା ଅବ୍ୟବସ୍ଥା ଯୋଗୁଁ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରିନଥିଲା। ଫଳରେ ଗ୍ରାମର କିଛି ଯୁବକ ଓ ପରିବାର ଲୋକେ ମଇନାଙ୍କୁ ଖଟିଆରେ ବୋହି ଚିକିତ୍ସା ପାଇଁ ନେଇଥିଲେ। ପ୍ରାୟ ଦୁଇ କିଲୋମିଟର ଖଟିଆରେ ନେବା ପରେ ଆମ୍ବୁଲାନ୍ସ ମିଳିଥିବା ଯୁବକମାନେ କହିଛନ୍ତି।
ଗମନାଗମନ ସୁବିଧା ନଥିବାରୁ ଗ୍ରାମବାସୀ ରୋଗୀଙ୍କୁ ଚିକିତ୍ସାଳୟ ନେବା ସମୟରେ ବହୁ ଦୁର୍ଦ୍ଦଶା ଭୋଗିବା ସହ ଅତିରିକ୍ତ ଅର୍ଥ ଖର୍ଚ୍ଚ କରୁଛନ୍ତି।
କେବଳ ଚିକିତ୍ସାଳୟ ନୁହେଁ, ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଯିବାରେ ମଧ୍ୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲକ୍ଷ୍ମୀ ବସ୍ ଗାଁକୁ ଯାଇପାରୁ ନଥିବାରୁ ଅଟୋ ହିଁ ଗ୍ରାମବାସୀଙ୍କ ଏକମାତ୍ର ଭରସା ହୋଇଥିବା ବେଳେ ଏହାର ଖର୍ଚ୍ଚ ମଧ୍ୟ ସେମାନଙ୍କ ପାଇଁ ବୋଝ ପାଲଟିଛି।
ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମଗୁଡ଼ିକର ଗମନାଗମନ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ବ୍ୟବସ୍ଥା ଥିବା ସତ୍ତ୍ୱେ ବରଡ଼ାଜୋଡ଼ି ଗ୍ରାମର ରାସ୍ତା ନିର୍ମାଣ କାହିଁକି ହୋଇପାରୁନାହିଁ, ତାହାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଜରୁରୀ ସମୟରେ ରୋଗୀ ଓ ଗର୍ଭବତୀଙ୍କୁ ଖଟିଆରେ ବୋହିବା ଭଳି ଘଟଣାର ସ୍ଥାୟୀ ସମାଧାନ ପାଇଁ ଶୀଘ୍ର ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି।
ତେବେ ମଇନା ଜାନିଙ୍କୁ ତେନ୍ତୁଳିଖୁଣ୍ଟି ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଜଣାପଡ଼ିଛି। ମା’ ଓ ନବଜାତ ଶିଶୁ ଉଭୟ ସୁସ୍ଥ ଥିବା ସୂଚନା ମିଳିଛି।


