ବାସ୍ତବ ବ୍ୟୁରୋ-ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଜସରାଜ ଆଉ ନାହାଁନ୍ତି । ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଜସରାଜ ଆଉ ନାହାଁନ୍ତି। ସୋମବାର ଦିନ ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଆମେରିକାର ନିଉ ଜର୍ସିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପଣ୍ଡିତ ଜସରାଜଙ୍କ ମୃତ୍ୟୁରେ ସଙ୍ଗୀତ ଜଗତ ଶୋକର ଛାୟା ଖେଳି ଯାଇଛି ।

ଜସରାଜଙ୍କ ପରିବାର ଦେଇଥିବା ସୂଚନା ଅନୁଯାୟୀ, ସେ ସ୍ଥାନୀୟ ସମୟ ସକାଳ ୫.୧୫ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାର କେଉଁଠାରେ ହେବ ସେନେଇ ମଧ୍ୟ ଅନୁମାନ କରାଯାଉଛି । ପଣ୍ଡିତ ଜସରାଜଙ୍କ ଶବକୁ ଭାରତ ଆଣିବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ କେନ୍ଦ୍ର ସରକାର ସହ କଥାବାର୍ତ୍ତା ଚାଲିଛି ।
ପଣ୍ଡିତ ଜସରାଜଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ନିତିନ ଗଡକରୀ, ଅଖିଳେଶ ଯାଦବଙ୍କ ସମେତ ଅନେକ ନେତା ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ପଣ୍ଡିତ ଜସରାଜଙ୍କ ମୃତ୍ୟୁକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହା ଭାରତୀୟ ସାଂସ୍କୃତିକ ଜଗତରେ ଏକ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି କରିଛି ।
ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନ ପ୍ରାପ୍ତ ପଣ୍ଡିତ ଯଶରାଜ ଥିଲେ ମେୱାତି ଘରାନାର ଜଣେ ଧୁରୀଣ ଗାୟକ । ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତର ଅନ୍ୟତମ ପ୍ରସିଦ୍ଧ ସଂଗୀତଜ୍ଞ ପଣ୍ଡିତ ଯଶରାଜ ସ୍ବକୀୟ ପ୍ରତିଭା ଲାଗି ଦେଶ ବିଦେଶରେ ପରିଚିତ ଥିଲେ ।
୨୮ ଜାନୁଆରୀ ୧୯୩୦ ରେ ଜନ୍ମ ହୋଇଥିବା ପଣ୍ଡିତ ଜସରାଜ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ଏକ ନୂତନ ଉଚ୍ଚତା କୁ ନେଇଯାଇଥିଲେ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ବିଶ୍ୱ ଫଳକରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେବାରେ ପଣ୍ଡିତ ଜସରାଜ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
