ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୧୪୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୦୫୫୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୬୦୧୨୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ବାତ୍ୟା ‘ୟସ’ର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକିୟା ଆରମ୍ଭ ହୋଇଛି । କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପ୍ରଶାସନ ପକ୍ଷରୁ ନିଆଯାଉଛି ।
ବୁଧବାର ମଧ୍ୟାହ୍ନ ସୁଦ୍ଧା ସ୍ଥଳଭାଗ ଛୁଇଁବ ବାତ୍ୟା ‘ୟସ୍’ । ଅତି ଭୀଷଣ ବାତ୍ୟା ରୂପରେ ମାଡ଼ ହେବ ବାଲେଶ୍ୱର ସଦର ଉପକୂଳ ପାଖରେ । ସେତେବେଳେ ୧୫୫ରୁ ୧୬୫ କିଲୋମିଟର ବେଗରେ ମାଡ଼ ହେବ ପବନ । ମଝିରେ ମଝିରେ ୧୮୫ କିମି ବେଗରେ ପବନ ମାଡ଼ କରିବ।
ଆସନ୍ତା ୨୯ ତାରିଖକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିକୁ ଦୁଇ ବର୍ଷ ପୁରିବାକୁ ଯାଉଥିବାରୁ ସେହିଦିନ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।
ବିଶିଷ୍ଟ ଲୋକପ୍ରିୟ ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ । କୋଭିଡ୍ରେ ଆକ୍ରାନ୍ତ ହୋଇ ସେ ପୁରୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କ ଦେହାନ୍ତ ହୋଇଛି ।
ସମ୍ଭାବ୍ୟ ବାତ୍ୟା ‘ୟସ୍’ ପାଇଁ ୬ ଜିଲ୍ଲାରେ ଟିକାକରଣ ବନ୍ଦ । ୨୫ରୁ ୨୭ ତାରିଖ ଯାଏ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଟିକାଦାନ ବନ୍ଦ ରହିବା ସହ ଘରକୁ ଘର ବୁଲି ହେବାକୁ ଥିବା କୋଭିଡ୍ ୧୯ ସର୍ଭେ କାମ ବନ୍ଦ ରହିବ ।
ବାତ୍ୟା ମୁକାବିଲା ସମୟରେ କୌଣସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏନେଇ ଘୋଷଣା କରିଛି ଟିପିସିଓଡିଏଲ । ସେହିପରି ଯଦି କୌଣସି କର୍ମଚାରୀ ଆହତ ହେଲେ, ସେମାନଙ୍କ ସମସ୍ତ ଖର୍ଚ୍ଚ ବହନ କରିବ ଟାଟା ପାଓ୍ବାର ।
ତେଲେଙ୍ଗାନାରୁ ଦାଦନ ଖଟିବାକୁ ଯାଇ ଡଙ୍ଗାରେ ଫେରୁଥିବା ସମୟରେ ସିଲେରୁ ନଦୀରେ ଡଙ୍ଗାଟି ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ନିଖୋଜ ଅଛନ୍ତି । ଦୁଇଟି ଡଙ୍ଗାରେ ମୋଟ ୧୧ ଜଣ ଘରକୁ ଫେରୁଥିଲେ। ଗୋଟିଏ ଡଙ୍ଗା ବୁଡ଼ିବାରୁ ସମସ୍ତେ ଅନ୍ୟ ଡଙ୍ଗାକୁ ଆସିଥିଲେ। ଫଳରେ ଅଧିକ ଲୋକ ପାଇଁ ଅନ୍ୟ ଡଙ୍ଗାଟି ବୁଡ଼ି ଯାଇଥିଲା। ଓଡ୍ରାଫ୍, ଅଗ୍ନିଶମ ଟିମ୍ ଓ ଉଦ୍ଧାରକାରୀ ଦଳ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ବ୍ଲାକ୍ ଫଙ୍ଗସକୁ ଏକ ଉଲ୍ଲେଖନୀୟ ରୋଗରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେବା ପରେ ଜମ୍ମୁକାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏହାକୁ ମହାମାରୀ ଘୋଷଣା କରିଛନ୍ତି।
ସିକ୍କିମର ରୁମଟେକ୍ ମଠ ଏବଂ ଗୁଞ୍ଜାଙ୍ଗ ମଠ ରୁ ୯୯ ଜଣ ବୌଦ୍ଧଭିକ୍ଷୁ କରୋନା ସଂକ୍ରମିତ ହୋଇଛନ୍ତି । ଗ୍ୟାଙ୍ଗଟକର ଅଧିକାରୀମାନେ କହିଛନ୍ତି ଯେ ସିକ୍କିମର ପ୍ରତ୍ୟେକ ବୌଦ୍ଧ ମଠକୁ ସ୍ୱାସ୍ଥ୍ୟ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ତୀକ୍ଷ୍ଣ ନଜରରେ ରଖିଛନ୍ତି । ସଂକ୍ରାମକ ରୋଗରେ ଆକ୍ରାନ୍ତ ଭିକ୍ଷୁମାନଙ୍କୁ ସମସ୍ତ ପ୍ରକାର ସତର୍କତା ଏବଂ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଇଛି ।
ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମାଜବାଦୀ ପାର୍ଟି ନେତା ତଥା ସାଂସଦ ଆଜମ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଲା । ଫୁସଫୁସରେ ସମସ୍ୟା ହେତୁ ତାଙ୍କୁ ଅକ୍ସିଜେନ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି । ମେଦାନ୍ତ ହସ୍ପିଟାଲର ମେଡିକାଲ ଡାଇରେକ୍ଟର କହିଛନ୍ତି ରାକେଶ କପୁର କହିଛନ୍ତି ଯେ ସି.ଟି ସ୍କାନ ପରେ ଆଜାମ ଖାନଙ୍କ ଲଙ୍ଗ୍ସରେ ଫାଇବ୍ରୋସିସ୍ ନାମକ ଏକ ରୋଗର ଥିବା ଦେଖିବାକୁ ମିଳିଛି । ଏହାସହ ତାଙ୍କ ଶରୀରରେ କ୍ୟାହବିଟି ଦେଖାଦେଇଛି ।
ଦେଶର କୋଭିଡ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟିକାକରଣ ନିୟମରେ ସଂଶୋଧନ ଆଣିଛନ୍ତି । ଏବେ ୧୮-୪୪ ବୟସ ବର୍ଗର ଲୋକମାନେ ଟିକା ପାଇଁ ଅନ୍ଲାଇନ ପଂଜୀକରଣ କିମ୍ବା ସ୍ଲଟ ବୁକ କରିବା ଆବଶ୍ୟକ ନାହିଁ । ନୂଆ ନିୟମ ମୁତାବକ ଏମାନେ ସରକାରୀ ଟିକାକରଣ କେନ୍ଦ୍ରକୁ ଯାଇ ନିଜ ପଂଜୀକରଣ କରାଇ ଟିକା ଲାଗି ବୁକିଙ୍ଗ କରିପାରିବେ । କେବଳ ସରକାରୀ କେନ୍ଦ୍ରରେ ଏହି ସୁବିଧା ମିଳିବ । କେନ୍ଦ୍ର ସରକାର ଏହି ବିଜ୍ଞପ୍ତି ସବୁ ରାଜ୍ୟ ପାଇଁ ଜାରି କରିଛନ୍ତି ।
ଭାରତରୁ ପିଏନବି ଠକେଇ ମାମଲାରେ ବିଦେଶ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ମେହୁଲ ଚୋକସୀ ଏବେ ନିଖୋଜ ଅଛନ୍ତି । ସେ ଆଣ୍ଟିଗୁଆରେ ଥିଲେ । ଏବେ କିନ୍ତୁ ତାଙ୍କର କୌଣସି ପତ୍ତା ମିଳୁନାହିଁ ।
ମାଲେସିଆର ରାଜଧାନୀ କ୍ଲାଲାଲାମପୁରରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଆହତ ହୋଇଛନ୍ତି ୨୦୦ରୁ ଅଧିକ ଯାତ୍ରୀ । ରାତି ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁସାରେ, ଗୋଟିଏ ଟ୍ରେନ୍ ମରାମତି ହେବା ପାଇଁ ଷ୍ଟେସନକୁ ଯାଉଥିଲା । ଏହି ସମୟରେ ସମାନ ଟ୍ରାକରେ ଆଉ ଏକ ଯାତ୍ରୀ ବାହୀ ଟ୍ରେନ୍ ଆସିବାରୁ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା ।