
ବାସ୍ତବବ୍ୟୁରୋ:(କଟକ) ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା ଆଉ ନାହାନ୍ତି’ ଆଜି ସକାଳେ ତାଙ୍କ ପ୍ରାଣବାୟୁ ଉଡିଯାଇଛି | ଓଲିଉଡ଼ ତଥା ସଂଗୀତ ପ୍ରେମୀଙ୍କ ପାଇଁ ଏହା ଏକ ଦୁଖଦଃ ଖବର | ଶାନ୍ତିରାଜଙ୍କ ମୃତ୍ୟୁର ଖବର ପାଇ ଅନେକ ବରିଷ୍ଠ କଳାକାର ଶୋକ ପ୍ରକାଶ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ବୟସ ପାଖାପାଖି ୫୩ ବର୍ଷ ହୋଇଥିଲା |
ଗତ ମେ’ ୨୨ ତାରିଖରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ଶାନ୍ତରାଜ । ସେ ହୋମ୍ ଆଇସୋଲେସନ୍ରେ କଟକ ବକ୍ସିବଜାର ସ୍ଥିତ ବାସଭବନରେ ଥିଲେ। ତେବେ ଆଜି ସକାଳେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କୁ କଟକ ଏସ୍ସିବି ସ୍ଥିତ କୋଭିଡ୍ ହସ୍ପିଟାଲ ନେବା ବାଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସଙ୍ଗୀତ ନିର୍ଦେଶକ ଭାବେ ଓଲିଉଡ ରେ ବହୁ ସିନେମା ସହ ଆଲବମ ତାଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା ।
ଓଡ଼ିଶାର କାଶ୍ମୀର କୋରାପୁଟ ଜିଲ୍ଲାରେ ଶାନ୍ତିରାଜ ଖୋସଲାଙ୍କ ଘର | ସଂଗୀତର ମୋହ ତାଙ୍କୁ ତାଣିଆଣିଥିଲା ଓଡ଼ିଶାର ସଂଗୀତ ରାଜଧାନୀ କଟକକୁ | ଦୀର୍ଘବର୍ଷ ହେବ କଟକରେ ରହି ସଙ୍ଗୀତ ସାଧନାରେ ମଗ୍ନ ଥିଲେ ଶାନ୍ତିରାଜ। ସେ ଓଡ଼ିଆ ସଙ୍ଗୀତରେ ସୃଷ୍ଟି କରିଥିଲେ ନିଜସ୍ୱ ଛାପ | ବହୁ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଓ ଭଜନରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।ଓଡ଼ିଆ ସିନେ ଜଗତରେ ସେ ଜଣେ ପ୍ରତିଷ୍ଠିତ ସଙ୍ଗୀତକାର ଭାବେ ଖୁବ୍ ପରିଚିତ ହେଲେ |ହେଲେ ଆଜି ତାଙ୍କ ମୃତ୍ୟୁ ରେ ସଙ୍ଗୀତ ଜଗତ ଓ ସିନେ ଜଗତର ବିରାଟ କ୍ଷତି ଘଟିଛି ।
ଅନେକ ସୁପରହିଟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତିରାଜ । ସେଥି ମଧ୍ୟରୁ, ଧନରେ ରଖିବୁ ଶପଥ ମୋର,ତୋର ମୋର ଯୋଡି ସୁନ୍ଦର, ବାଇଶି ପାହାଚେ ଖେଳିବ ମୀନ, ଫେରିଆ ପରି ୨୦ରୁ ଅଧିକ ସିନେମା, ଏବଂ ପ୍ରାୟ ଦୁଇ ହଜାର ରୁ ଅଧିକ ଆଲବମ ରେ ସେ ସଂଗୀତ ନିର୍ଦେଶନା ଦେଇଛନ୍ତି |ଫେରିଆ’ସିନେମା ପାଇଁ ଶାନ୍ତିରାଜ ରାଜ୍ୟ ଚଳଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ ।ଓଡିଶା କଳାକରଙ୍କ ପାଇଁ ୨୦୨୦/୨୧ ବଡ ଦୁଖଦଃ ବର୍ଷ |