
କାକଟପୁର(ବାସ୍ତବକଥା): ସରକାର ରାଜ୍ୟରେ ସ୍ଵାସ୍ଥ୍ୟସେବାର ରୂପାନ୍ତରୀକରଣ ଏବଂ ବିକାଶ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ଉପାନ୍ତ ନୁହେଁ ବରଂ ପୁରୀ ଜିଲ୍ଲାର ଉପକୂଳବର୍ତ୍ତୀ କାକଟପୁର ଅଞ୍ଚଳରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି।
ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର (CHC) ଅଧୀନରେ ଥିବା କାକଟପୁର ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସମେତ ବାଲିଦୋକାନ, ପାଟପୁର ଏବଂ ପକିରସାହି ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଚିକିତ୍ସା ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଭିତ୍ତିଭୂମିର ଉନ୍ନତିକରଣ କରାଯାଇ ରଙ୍ଗବୋଳା କୋଠା ନିର୍ମାଣ ହୋଇଛି ସତ, ହେଲେ ସେଠାରେ ରୋଗୀଙ୍କୁ ସେବା ଯୋଗାଇବା ପାଇଁ ସ୍ଥାୟୀ ଡାକ୍ତର ନାହାନ୍ତି। ଫଳରେ ସରକାରଙ୍କ ଆରୋଗ୍ୟ କେନ୍ଦ୍ର ଯୋଜନା ଏଠାରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଭଡ଼ାଟିଆ ଶୈଳୀରେ ‘ପାଳି’ କରି ଆସୁଛନ୍ତି ଡାକ୍ତର:ମିଳିଥିବା ସୂଚନା ଅନୁଯାୟୀ, କାକଟପୁର ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କୌଣସି ସ୍ଥାୟୀ ଚିକିତ୍ସକ ନଥିବାରୁ ଆଖପାଖ ଅଞ୍ଚଳର ଡାକ୍ତରମାନଙ୍କୁ ଆଣି ଏଠାରେ ଡ୍ୟୁଟି କରାଯାଉଛି। କାଗଜପତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ବାଲିଦୋକାନ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ସ୍ଵାଇଁ ସୋମବାର ଓ ଶୁକ୍ରବାର ଦିନ କାକଟପୁର ଆସୁଥିବା ବେଳେ, ମଙ୍ଗଳବାର ଓ ଶନିବାର ଦିନ ପକିରସାହି ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ଇପ୍ସିତା ଜେନା ଏବଂ ଗୁରୁବାର ଓ ରବିବାର ଦିନ ପାଟପୁର ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ସାମଲ ସିମରନ ପାଳି କରି କାକଟପୁର କେନ୍ଦ୍ରକୁ ଆସୁଛନ୍ତି।
କେବଳ ବୁଧବାର ଦିନ କାକଟପୁର ସ୍ଵାସ୍ଥ୍ୟକେନ୍ଦ୍ରର ନିଜସ୍ଵ ଆୟୁଷ ଡାକ୍ତର ସେବା ଯୋଗାଉଛନ୍ତି। ଏଭଳି ରୋଟେସନ ବା ପାଳି ଡ୍ୟୁଟି ଯୋଗୁଁ କୌଣସି ବି ସ୍ଵାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସ୍ଥାୟୀ ଓ ନିରନ୍ତର ଚିକିତ୍ସା ମିଳିପାରୁନାହିଁ।ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ବାଲିଦୋକାନ ସ୍ଵାସ୍ଥ୍ୟକେନ୍ଦ୍ର:ଉପରୋକ୍ତ ପ୍ରାୟ ସମସ୍ତ ସ୍ଵାସ୍ଥ୍ୟ କେନ୍ଦ୍ରରେ ଜଣେ ଲେଖାଏଁ ଆୟୁଷ ଡାକ୍ତର ଥିବା ବେଳେ ବାଲିଦୋକାନ ସ୍ଵାସ୍ଥ୍ୟ କେନ୍ଦ୍ରରେ କୌଣସି ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଏହା ଉପରେ ପୁଣି ସେଠାକାର ମୁଖ୍ୟ ଡାକ୍ତର ଅବିନାଶ ସ୍ଵାଇଁ ସପ୍ତାହକୁ ୨ ଦିନ କାକଟପୁର ପାଳି ଡ୍ୟୁଟିରେ ରହୁଛନ୍ତି। ଏହା ସହିତ ତାଙ୍କୁ ୨ ଦିନରେ ପ୍ରାୟ ୪୮ ଘଣ୍ଟା ପାଇଁ କାକଟପୁରରେ ନିୟୋଜିତ କରାଯାଉଥିବାରୁ, ବାଲିଦୋକାନ ସ୍ଵାସ୍ଥ୍ୟ କେନ୍ଦ୍ରର ସେବା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି ଓ ସେଠାକାର ରୋଗୀ ଅତି ଦାୟନୀୟ ଅବସ୍ଥାରେ ଗତି କରୁଛନ୍ତି।
ଅଫିସରଙ୍କ ଅହେତୁକ ଅନୁକମ୍ପା, ସବୁଠି ‘ମ୍ୟାନେଜ୍’ ରାଜ୍: ସ୍ଥାନୀୟ ଜନପ୍ରତିନିଧି ଓ ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ, ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଅଧିକାରୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (CDMO) ଙ୍କ ମଧ୍ୟରେ ଥିବା ଅହେତୁକ ଅନୁକମ୍ପା ଯୋଗୁଁ ଏହି ସମଗ୍ର ଅବ୍ୟବସ୍ଥାକୁ ଲୁଚାଇବା ପାଇଁ ‘ମ୍ୟାନେଜ୍’ ରାଜ୍ ଚାଲିଛି। ଦୂରଦୂରାନ୍ତରୁ ଆସୁଥିବା ଗରିବ ରୋଗୀମାନେ ଡାକ୍ତରଖାନାରେ କାହାକୁ ନପାଇ ଯେତେବେଳେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଫୋନ୍ ଯୋଗେ ପଚାରୁଛନ୍ତି, ସେତେବେଳେ ସେ କେଉଁ ଡାକ୍ତର ଛୁଟିରେ ଅଛନ୍ତି ତ କିଏ କେଉଁଠି ଅଛନ୍ତି କହି ଏଡ଼ାଇ ଯାଉଛନ୍ତି।
ଦଲାଲ ଓ ରେଫର ବ୍ୟବସାୟର ଏହା ହେଉ ହେଉଛି ଚାରାଗଛ: ଗରିବ ଲୋକେ ଭାବନ୍ତି ଘର ପାଖରେ ଡାକ୍ତରଖାନା ଅଛି, ତେଣୁ ସାଧାରଣ ଥଣ୍ଡା, କାଶ, ଜ୍ଵର ପାଇଁ କାକଟପୁର ର ମୁଖ୍ୟ ଡାକ୍ତରଖାନା ଭାବେ ପରିଚିତ ବାଙ୍ଗୁରୀଗାଁ CHC କୁ ନଯାଇ (ଯାହା କାକଟପୁର ଠାରୁ ୧୨ କିମି ଦୂର) ସ୍ଥାନୀୟ ଆରୋଗ୍ୟ କେନ୍ଦ୍ରକୁ ଆସନ୍ତି। ମାତ୍ର ଏଠାରେ ସେବା ନମିଳିବା କାରଣରୁ ରୋଗୀଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ପରିସ୍ଥିତି ଏଭଳି ହେଉଛି ଯେ, କୌଣସି ଜରୁରୀକାଳୀନ ଦୁର୍ଘଟଣା କିମ୍ବା ଗୁରୁତର ରୋଗୀ ଆସିଲେ, ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବା ବଦଳରେ ସିଧାସଳଖ କଟକ କିମ୍ବା ଭୁବନେଶ୍ୱର ବଡ଼ ମେଡିକାଲକୁ ରେଫର କରି ଦିଆଯାଉଛି। ଫଳରେ ଗରିବ ରୋଗୀମାନେ ଘରୋଇ ଆମ୍ବୁଲାନ୍ସ ଓ ମାଫିଆଙ୍କ ହାବୁଡ଼ରେ ପଡ଼ି ଆର୍ଥିକ ଶୋଷଣର ଶିକାର ହେଉଛନ୍ତି।
ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଉଦାସୀନତା: ମାଗଣା ଔଷଧ (ନିରାମୟ ଯୋଜନା), ଆଧୁନିକ ଯନ୍ତ୍ରପାତି, ଗାଡ଼ି ଓ ଆମ୍ବୁଲାନ୍ସ ପାଇଁ ସରକାର କୋଟି କୋଟି ଟଙ୍କା ଦେଉଥିଲେ ମଧ୍ୟ କାକଟପୁର ଅଞ୍ଚଳରେ ଏହା କେବଳ ପ୍ରଶାସନିକ ଅବହେଳା ଓ ବିଭାଗୀୟ ଉଦାସୀନତା ଯୋଗୁଁ ବାଟବଣା ହୋଇଛି। ସ୍ଥାନୀୟ ଲୋକଙ୍କ କହିବା କଥା, ନିର୍ବାଚନ ସମୟରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ନେତାମାନେ ଗାଡ଼ି ମଟର ଧରି ବୁଲନ୍ତି। କିନ୍ତୁ ଭୋଟ୍ ସରିବା ପରେ କାକଟପୁର ନିର୍ବାଚନ ମଣ୍ଡଳୀର ବିକାଶ କଥା ବୁଝିବାକୁ କାହା ପାଖରେ ସମୟ ନାହିଁ। ନେତା ଓ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଆଜି ସ୍ଵାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। କାକଟପୁର ଅଞ୍ଚଳରେ କେତେ ବିକାଶ ହୋଇଛି, ତାହା କେବଳ କାକଟପୁର ସ୍ଵାସ୍ଥ୍ୟ କେନ୍ଦ୍ରର ଦୟନୀୟ ଅବସ୍ଥାକୁ ଦେଖିଲେ ଯେକୌଣସି ସାଧାରଣ ଲୋକ ସହଜରେ ଅନୁମାନ କରିପାରିବ।
ତୁରନ୍ତ ଏହି ସ୍ଵାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସ୍ଥାୟୀ ଡାକ୍ତର, ଫାର୍ମାସିଷ୍ଟ ଓ ଆନୁଷଙ୍ଗିକ କର୍ମଚାରୀ ନିଯୁକ୍ତି ନକରାଗଲେ, ଆଗାମୀ ଦିନରେ ଜନସାଧାରଣ ରାଜପଥକୁ ଓହ୍ଲାଇବା ସହ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣା ଦେବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।



