ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱଚ୍ଛତା ଓ ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ

ଯୋଜନାରେ ସାମିଲ ହେବେ ନୂତନ ଯୋଗ୍ୟ ହିତାଧିକାରୀ

ସୁବର୍ଣ୍ଣପୁର(ୟୁଧିଷ୍ଟିର ସାହୁ): ଗ୍ରାମାଞ୍ଚଳର ଗରିବ ଓ ଅସହାୟ ପରିବାରଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ତିନୋଟି କିସ୍ତିରେ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କାର ଗୃହ ନିର୍ମାଣ ସହାୟତା ପ୍ରଦାନ କରାଯାଉଛି।

ଆଜି ବଲାଙ୍ଗୀର ଜିଲ୍ଲାର ପଥରଚେପା ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ଲକ୍ଷ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଯୋଗଦେଇଥିଲେ। ଏହାର ସିଧାପ୍ରସାରଣ ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଟାଉନ ହଲ୍‌ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏଥିରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା ମୁଖ୍ୟ ଅତିଥି ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଳା ଓ ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି ଶ୍ରୀ ସାନନ୍ଦ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂହ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଅନିରୁଦ୍ଧ ପଧାନ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ୱିନୀ ମେହେରଙ୍କ ସମେତ ନଳିନୀ ପଣ୍ଡା ଏବଂ ଅନ୍ୟ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଗରିବ ଓ ଅବହେଳିତ ପରିବାରଙ୍କୁ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଏବଂ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। କୌଣସି ଯୋଗ୍ୟ ପରିବାର ଯେପରି ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ।

ସିଡିଓ ଶ୍ରୀ ଅଶ୍ୱିନୀ ମେହେର ଜିଲ୍ଲାରେ ଯୋଜନାର ଅଗ୍ରଗତି ସମୀକ୍ଷା ସହ ପୂର୍ବରୁ ନିର୍ମିତ ଗୃହଗୁଡ଼ିକର ସ୍ଥିତି ଏବଂ ନୂତନ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ଉପରେ ଆଲୋକପାତ କରିଥିଲେ। ସଠିକ୍ ସର୍ବେକ୍ଷଣ ଓ ପ୍ରଶାସନିକ ସମନ୍ୱୟ ମାଧ୍ୟମରେ ଯୋଗ୍ୟ ପରିବାରଙ୍କୁ ଯୋଜନାରେ ସାମିଲ କରିବା ସହ ଏହାର ସ୍ୱଚ୍ଛ ଓ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମ ପରେ ଜିଲ୍ଲାର ପ୍ରାୟ ୩୦୦ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ୪ ମାସ ମଧ୍ୟରେ ଘର ନିର୍ମାଣ ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ୨୦,୦୦୦ ଟଙ୍କା ଏବଂ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯାଇଥିଲା।

ସେୟାର କରନ୍ତୁ

Next Post

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ,ରାୟଗଡ଼ ଜିଲ୍ଲାର ସଫ୍ଟ ବଲ୍ ଓ ବେସ୍ ବଲ୍ ଖେଳାଳି...

Mon Nov 16 , 2026
ରାୟଗଡ(ପ୍ରଭାକର ରତ୍ନାଲୁ):ଚଳିତ ବର୍ଷ ରାୟଗଡ଼ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ାରେ ସଫ୍ଟ ବଲ ଓ ବେସ୍ ବଲ୍ ଟିମ୍ ବାଲେଶ୍ୱରରେ ଅନୁଷ୍ଟିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।ଆଜି ରାତି ବାଲେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଦଳ।ଚଳିତ ବର୍ଷ ରାଜ୍ୟସ୍ତରୀୟ ସଫ୍ଟ ବଲ୍ ଓ ବେସ୍ ବଲ୍ ପ୍ରତିଯୋଗିତା ଚଳିତ ମାସ ୧୫ତାରିଖ ଠାରୁ ଆରମ୍ଭ ହୋଇ ୧୭ତାରିଖ ପର୍ୟ୍ୟନ୍ତ ଚାଲିବ।ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା […]

You May Like

Pin It on Pinterest