
ରାଉରକେଲା(ବଳିଆ ନାୟକ):ରଘୁନାଥପାଲି ଥାନା ପୋଲିସ ଚୋରା ଲୁହା ପ୍ୟାଲେଟ୍ ପରିବହନ ମାମଲାରେ ବଡ଼ ସଫଳତା ହାସଲ କରିଛି। ପୋଲିସ ପ୍ରାୟ ୨୪ ଟନ୍ ଲୁହା ପ୍ୟାଲେଟ୍ ସହ ଏକ ଟ୍ରକ୍ ଓ ଏକ ବୋଲେରୋ ଗାଡ଼ିକୁ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ମାଲଗୋଦାମ ଅଞ୍ଚଳର ଦିଲ୍ଲୀପ ଜୈସୱାଲ (୪୭), ଟିସିଆଇ ଫର୍ସାଟୋଲାର ଶିବଲାଲ ବଡ଼ାଇକ (୩୮) ଏବଂ ଲହୁଣୀପଡା ଥାନା ଅନ୍ତର୍ଗତ ସଲାଇପାଲି ଗ୍ରାମର ସୁକଲାଲ ମୁଣ୍ଡା (୨୨)। ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଏଏସଆଇ ଧ୍ୟାନଚାନ୍ଦ ଖିଲାର ରାଜାମୁଣ୍ଡା ପଟରୁ ଏକ ଟ୍ରକ୍ (OD-14-V-1129) ଲୁହା ପ୍ୟାଲେଟ୍ ନେଇ ରାଉରକେଲା ଅଭିମୁଖେ ଯାଉଥିଲା । ସୂଚନା ପାଇ ପୋଲିସ ଜଲଦା ସି-ବ୍ଲକ୍ ଛକ ନିକଟରେ ଅପେକ୍ଷା କରିଥିଲା। ସନ୍ଦିଗ୍ଧ ଟ୍ରକ୍ଟି ଆସିବା ପରେ ତାହାକୁ ଅଟକାଇବାକୁ ସଙ୍କେତ ଦିଆଯାଇଥିଲେ ମଧ୍ୟ ଚାଳକ ଗାଡ଼ି ନ ରଖି ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରିଥିଲା।
ପୋଲିସ ଦୀର୍ଘ ସମୟ ଧରି ପିଛା କରି ଦେଓଗାଁ ଏଲ୍ ଆଣ୍ଡ ଟି ଗେଟ୍ ନିକଟରେ ଟ୍ରକ୍କୁ ଅଟକାଇଥିଲା। ଯାଞ୍ଚ ବେଳେ ଗାଡ଼ିରେ ଲୁହା ପ୍ୟାଲେଟ୍ ଭର୍ତ୍ତି ଥିବା ଜଣାପଡ଼ିଥିଲା। ଅଭିଯୁକ୍ତମାନେ ଉକ୍ତ ସାମଗ୍ରୀ ପରିବହନ ପାଇଁ କୌଣସି ବୈଧ ଦସ୍ତାବିଜ ଦେଖାଇ ପାରିନଥିଲେ। ପଚରାଉଚରା ବେଳେ ସେମାନେ ବ୍ୟକ୍ତିଗତ ଲାଭ ପାଇଁ ରାଜାମୁଣ୍ଡାରୁ କୁଆରମୁଣ୍ଡା ଅଞ୍ଚଳକୁ ଲୁହା ପ୍ୟାଲେଟ୍ ନେଉଥିବା ସ୍ୱୀକାର କରିଥିଲେ।
ପରେ ଜବତ ଟ୍ରକ୍କୁ ବାଲୁଘାଟସ୍ଥିତ ବାସୁକୀନାଥ ୱେଇବ୍ରିଜ୍ରେ ଓଜନ କରାଯାଇଥିଲା। ସେଠାରେ ଟ୍ରକ୍ରେ ପ୍ରାୟ ୨୪.୦୯ ଟନ୍ ଲୁହା ପ୍ୟାଲେଟ୍ ଥିବା ଜଣାପଡ଼ିଥିଲା।ଯାହାର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷରୁ ଉର୍ଦ୍ଧ ହେବ |
ପୋଲିସ ଟ୍ରକ୍, ଲୁହା ପ୍ୟାଲେଟ୍ ଓ ବୋଲେରୋ ଗାଡ଼ିକୁ ଜବତ କରି ଅଭିଯୁକ୍ତମାନଙ୍କୁ ଥାନାକୁ ଆଣିଥିଲା। ଏହି ଘଟଣାରେ ରଘୁନାଥପାଲି ଥାନାରେ ମାମଲା ନଂ-୩୪୯/୨୦୨୬ ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି। ମାମଲାର ତଦନ୍ତ ଏସ୍ଆଇ ଦିପୁନ କୁମାର ଦଳାଇ କରୁଛନ୍ତି।




