
ଜଗସିହପୁର(ପ୍ରଫୁଲ୍ଲ ସାହୁ): ଆସନ୍ତା ଜୁନ ୨୬ ତାରିଖରେ ପାଳିତ ହେବାକୁ ଥିବା “ଆନ୍ତର୍ଜାତିକ ନିଶାଦ୍ରବ୍ୟ ଦୁର୍ବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧୀ ଦିବସ” ଉପଲକ୍ଷେ ପାରାଦ୍ବୀପଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଡ୍ରଗ୍ସ ଓ ନିଶା ବିରୋଧରେ ସମଗ୍ର ଭାରତ ତଥା ଓଡ଼ିଶାରେ ନିରନ୍ତର କାର୍ଯ୍ୟ କରୁଥିବା ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ୱାଦା ପରିବାର” ପକ୍ଷରୁ ଏହି ବୈଠକର ଆୟୋଜନ କରାଯାଇଥିଲା। ସମାଜ ଉପରେ ଡ୍ରଗ୍ସର କୁପ୍ରଭାବ ରୋକିବା, ଯୁବପିଢ଼ୀଙ୍କୁ ନିଶାମୁକ୍ତ ଜୀବନ ଲାଗି ସଚେତନ କରିବା ସହ ସେମାନଙ୍କ ମଧ୍ୟରେ ଦେଶପ୍ରେମ ଓ ସମାଜସେବା ଭାବନା ଜାଗ୍ରତ କରିବା ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ ରହିଛି। ଏହି କାର୍ଯ୍ୟକ୍ରମ ର ପ୍ରଥମ ମୂଳଦୁଆ ପାରାଦ୍ୱୀପ ର ଜୟଦେବ ସଦନ ରୁ ହିଁ ଆରମ୍ଭ ହେବ।ଚଳିତ ବର୍ଷ ଜୁନ ୨୬ ତାରିଖ ସନ୍ଧ୍ୟା ୫ଟା ସମୟରେ ପାରାଦ୍ବୀପ ସ୍ଥିତ ଜୟଦେବ ସଦନଠାରେ ଏହି ଆନ୍ତର୍ଜାତିକ ଦିବସ ପାଳନ କରାଯିବ। ଏହି ଅବସରରେ ସାଧାରଣ ଜନତାଙ୍କ ମଧ୍ୟରେ ଡ୍ରଗ୍ସ ନିଶାର ଭୟାବହ ପରିଣାମ ସମ୍ପର୍କରେ କିଭଳି ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ, ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା ହେବା ସହ ବିଭିନ୍ନ କାର୍ଯ୍ୟକ୍ରମର ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି।
ଏହି ପ୍ରସ୍ତୁତି ବୈଠକରେ କ୍ୟାପଟେନ ଶ୍ରୀ ପ୍ରେମାନନ୍ଦ ରାଉତ ପୌରାହିତ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଶ୍ରୀ ଗତିକୃଷ୍ଣ ଶତପଥୀ (ସଂଯୋଜକ, ୱାଦା), ଶ୍ରୀ ଶୁକଦେବ ଜେନା (ବରିଷ୍ଠ ସାମ୍ବାଦିକ),ଶ୍ରୀ ଅମ୍ବିକା ପ୍ରସାଦ ମହାପାତ୍ର (ସମାଜସେବୀ ତଥା ସଭାପତି, ପାରାଦ୍ୱୀପ କଲେଜ ଏନ.ସି.ସି ଆଲୁମୁନି ଆସୋସିଏସନ), ‘ୱାଦା’ର ସମସ୍ତ ସଦସ୍ୟବୃନ୍ଦ, ପାରାଦ୍ବୀପର ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ସମାଜସେବୀ ଓ ବହୁ ସାମ୍ବାଦିକ ଏହି ବୈଠକରେ ଯୋଗ ଦେଇଥିଲେ।
ସମସ୍ତ ପ୍ରତିନିଧି ଡ୍ରଗ୍ସ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବା ଏବଂ ଆଗାମୀ କାର୍ଯ୍ୟକ୍ରମକୁ କିଭଳି ସଫଳତାର ସହ ଆୟୋଜନ କରାଯାଇପାରିବ, ସେ ସମ୍ପର୍କରେ ନିଜ ନିଜର ମୂଲ୍ୟବାନ ମତାମତ ରଖିଥିଲେ।



