
କାକଟପୁର(ମାନସ ସାମଲ)୩୦/୭: କାକଟପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ଜନସମସ୍ୟା, ବିକାଶ କାର୍ଯ୍ୟରେ ଦୁର୍ନୀତି ଏବଂ ପିସି ପ୍ରଥା ଉଚ୍ଛେଦ ଦାବିରେ ଶତାଧିକ କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି।କାକଟପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ ପ୍ରାୟ ହଜାର ରୁ ଅଧିକ କର୍ମୀ ଙ୍କ ଜନସମାଗମରେ ଏକ ବିଶାଳ ଶୋଭାଯାତ୍ରା କାକଟପୁର ମୁଖ୍ୟ ବଜାର ସ୍ଥିତ ପଦ୍ମଚରଣ ସାମନ୍ତସିଂହାର ଟ୍ରଷ୍ଟ ନିକଟରୁ ବାହାରି ବ୍ଲକ୍ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ।
ସେଠାରେ ସରକାର ଓ ପ୍ରଶାସନ ବିରୋଧରେ କର୍ମୀମାନେ ପ୍ରବଳ ସ୍ଲୋଗାନବାଜି କରି ପ୍ରତିବାଦ କରିଥିଲେ।ପ୍ରତିବାଦ ପରେ ବିଜେଡିର ଏକ ପ୍ରତିନିଧି ଦଳ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକ୍ ଅଞ୍ଛଳରେ ସମସ୍ତ ବିକାଶମୂଳକ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା, ଦୁର୍ନୀତି ଓ ପିସି ପ୍ରଥା ସମ୍ପୂର୍ଣ୍ଣ ବନ୍ଦ କରିବା ସହ ସ୍ଥାନୀୟ ଲୋକଙ୍କ ନିତ୍ୟନୈମିତ୍ତିକ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରାଯାଇଛି।ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ସ୍ଥାନୀୟ ବିଜେଡି ନେତା ସ୍ୱାଧୀନ କୁମାର ନାୟକ, କାକଟପୁର ବ୍ଲକ୍ ବିଜେଡି ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, କାକଟପୁର ସରପଞ୍ଚ ଅକ୍ଷୟ ସେଠୀ, ପୁରୀ ଜିଲ୍ଲା ଯୁବ ବିଜେଡି ଉପସଭାପତି ବିଶ୍ୱଜିତ ଦାଶ, କାକଟପୁର ବ୍ଲକ୍ ଯୁବ ବିଜେଡି ସଭାପତି ରଞ୍ଜନ ନାୟକଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ, ସମର୍ଥକ ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
ଏହି ବିକ୍ଷୋଭକୁ ଦୃଷ୍ଟିରେ ରଖି କାକଟପୁର ପୁଲିସ ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶେଷରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।



