କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଦୁଇ ଚିକିତ୍ସାଳୟର ଉନ୍ନତୀକରଣ ପାଇଁ ୩.୧୦ କୋଟି ଟଙ୍କାର ସାଂସଦ ପାଣ୍ଠି ସୁପାରିଶ

  • କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପଦକ୍ଷେପରେ ସୁଦୃଢ଼ ହେବ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି

ବାଲେଶ୍ୱର(ବାସ୍ତବକଥା): ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାଂସଦ ସ୍ଥାନୀୟ କ୍ଷେତ୍ର ଉନ୍ନୟନ ପାଣ୍ଠି (MPLADS) ଅଧୀନରେ ୩ କୋଟି ୧୦ ଲକ୍ଷ ଟଙ୍କାର ବିଭିନ୍ନ କାର୍ଯ୍ୟ ପାଇଁ ସୁପାରିଶ କରିଛନ୍ତି।

ଏହି ସୁପାରିଶ ଅନୁଯାୟୀ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ (SDH) ପାଇଁ ୧ କୋଟି ୪୦ ଲକ୍ଷ ଟଙ୍କା ଏବଂ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପାଇଁ ୧ କୋଟି ୭୦ ଲକ୍ଷ ଟଙ୍କାର କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି।

ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଇନ୍‌ଡୋର ପେସେଣ୍ଟ ବିଭାଗ (IPD), ଔଷଧ ଗୋଦାମ, ରୋଗୀ ବିଶ୍ରାମାଗାର, କାଜୁଆଲିଟି ୱାର୍ଡ, ରିଫ୍ରେସ୍‌ମେଣ୍ଟ ହଲ୍‌, ସର୍ଜରୀ ୱାର୍ଡ ଓ ଅପରେସନ ଥିଏଟର, ଏସ୍‌ଡିଏମ୍‌ଓ କାର୍ଯ୍ୟାଳୟ ଏବଂ ଓପିଡି ବ୍ଲକ୍‌ର ଉନ୍ନତୀକରଣ କାର୍ଯ୍ୟ କରାଯିବ।

ସେହିପରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମେଡିସିନ ବ୍ଲକ୍‌, ଔଷଧ ଗୋଦାମ, ମଦର୍ ଆଣ୍ଡ ଚାଇଲ୍ଡ କମ୍ପ୍ଲେକ୍ସ, କାଜୁଆଲିଟି ୱାର୍ଡ, ଆଣ୍ଟି-ରେଟ୍ରୋଭାଇରାଲ୍ ଥେରାପି (ART) କେନ୍ଦ୍ର, ସର୍ଜରୀ ୱାର୍ଡ ଓ ଅପରେସନ ଥିଏଟରର ଉନ୍ନତୀକରଣ କରାଯିବ। ଏଥିସହ ରୋଗୀଙ୍କ ପାଇଁ ନୂତନ ବିଶ୍ରାମାଗାର ନିର୍ମାଣ ଏବଂ ଓପିଡି ବ୍ଲକ୍‌ର ରିଫ୍ରେସ୍‌ମେଣ୍ଟ ହଲ୍‌ର ଉନ୍ନତୀକରଣ ମଧ୍ୟ ପ୍ରସ୍ତାବରେ ସାମିଲ ରହିଛି।

କେନ୍ଦ୍ରମନ୍ତ୍ରୀଙ୍କ ଏହି ପଦକ୍ଷେପ ନୀଳଗିରି ଓ ବାଲେଶ୍ୱର ଅଞ୍ଚଳର ଲୋକଙ୍କ ଦୀର୍ଘଦିନର ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ଆବଶ୍ୟକତା ପୂରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି। ବିଶେଷକରି ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା, ଜରୁରୀକାଳୀନ ଚିକିତ୍ସା, ଦୀର୍ଘକାଳୀନ ଚିକିତ୍ସାଧୀନ ରୋଗୀଙ୍କ ସୁବିଧା ଏବଂ ରୋଗୀଙ୍କ ସହ ଆସୁଥିବା ପରିବାରବର୍ଗଙ୍କ ପାଇଁ ଉନ୍ନତ ପରିବେଶ ସୃଷ୍ଟି ହେବ।

ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରସ୍ତାବଗୁଡ଼ିକ ସାଂସଦ ଉନ୍ନୟନ ପାଣ୍ଠିରୁ ମଞ୍ଜୁରି ପାଇଁ ସୁପାରିଶ କରାଯାଇଛି। ବୈଷୟିକ, ଆର୍ଥିକ ଓ ପ୍ରଶାସନିକ ଯାଞ୍ଚ ପରେ ଚୂଡ଼ାନ୍ତ ଅନୁମୋଦନ ମିଳିବ ଏବଂ ଏମପିଲାଡ୍ ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟଗୁଡ଼ିକ ସମ୍ପନ୍ନ କରାଯିବ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାର ଜିଲ୍ଲାସ୍ତରୀୟ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏହି ଉଦ୍ୟମ ଭବିଷ୍ୟତରେ ବାଲେଶ୍ୱର ଓ ନୀଳଗିରି ଅଞ୍ଚଳର ହଜାର ହଜାର ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବାରେ ସହାୟକ ହେବ ବୋଲି ଜଣାପଡିଛି।

ସେୟାର କରନ୍ତୁ

You May Like

Pin It on Pinterest