
ଭୁବନେଶ୍ବର/ବାଳକାଟି: ବାଳକାଟିସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଗ୍ରୁପ୍ ଅଫ୍ ଇନଷ୍ଟିଟ୍ୟୁସନ୍ ପରିସରରେ ଶୁକ୍ରବାର ଦିନ ଦେଶର ୮୦ତମ ସ୍ୱାଧୀନତା ଦିବସ ବହୁ ଉତ୍ସାହ ଓ ଆଡମ୍ବରର ସହିତ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମର ଆରମ୍ଭରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ପ୍ରଭାତ ଫେରି କରିଥିଲେ। ପରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସିଦ୍ଧେଶ୍ୱର ମହାନ୍ତିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।
ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର ସଂଳାପ ଲେଖକ ଡଃ. ରଜନୀ ରଞ୍ଜନ ଦାସ, ମୁଖ୍ୟ ବକ୍ତା ଭାବେ ପ୍ରତାପଶାସନ ଡିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ରାଉତ ଏବଂ ସମ୍ମାନିତ ଅତିଥି ଭାବେ ରାଜଧାନୀ ପୁସ୍ତକ ମେଳା ସମ୍ପାଦକ ଶ୍ରୀ ବିଭୂତି ଭୂଷଣ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦେଶସେବା ଓ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରେରଣା ଦେଇଥିଲେ।
ଅଡିଟୋରିୟମରେ ଦେଶାତ୍ମବୋଧକ ଗୀତ, ନୃତ୍ୟ ଓ ନାଟକ ପରିବେଷିତ ହୋଇଥିଲା। ଚଳିତ ବର୍ଷ +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୧୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ “ନିର୍ମାଣ ମେଧା ସମ୍ମାନ” ପ୍ରଦାନ କରାଯାଇଥିଲା। ଏତଦ୍ ବ୍ୟତୀତ ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତାର ବିଜେତାମାନଙ୍କୁ ମାନପତ୍ର ଓ ପଦକ ଏବଂ PGDM ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମକୁ ବାସୁଦେବ ଆଚାର୍ଯ୍ୟ ଓ ସୌମ୍ୟଶିଖା ମହାନ୍ତି ସଞ୍ଚାଳନା କରିଥିଲେ। ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।



