
ଜିଲ୍ଲାପାଳଙ୍କ ସମେତ ୪ ଅଧିକାରୀଙ୍କ ଠାରୁ ରିପୋର୍ଟ ତଲବ କଲେ ଓଏଚଆରସି
କେନ୍ଦୁଝର(ବାସ୍ତବକଥା)୦୬/୦୯:କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ୧୪ ବର୍ଷର ନାବାଳକ ଏକ ବାଲି ବୋଝେଇ ହାଇୱାରେ ପାଲ ଢାଙ୍କୁ ଥିବାବେଳେ ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହେବା ଏବଂ ପରବର୍ତ୍ତୀ ସମୟରେ ତାଙ୍କ ଡାହାଣ ହାତ କାଟିବାକୁ ପଡ଼ିବା ଘଟଣାକୁ ଓଡ଼ିଶା ମାନବାଧିକାର ଆୟୋଗ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି।
ଏ ସଂକ୍ରାନ୍ତରେ ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ପ୍ରିୟବ୍ରତ ବିଶ୍ୱାଳଙ୍କ ଅଭିଯୋଗ ଆଧାରରେ ଓଡ଼ିଶା ମାନବାଧିକାର ଆୟୋଗଙ୍କ କେସ୍ ନଂ. ୩୪୭୫/୨୦୨୬ରେ ଶୁଣାଣି ହୋଇଛି। ସୂଚନା ଅନୁଯାଇ ନନ୍ଦିପଦା ଥାନା ଶାଳଣିଆଁ ପଞ୍ଚାୟତ ଅନ୍ତର୍ଗତ ଏଲକଣିଆଁ ଗ୍ରାମର ସଦାନନ୍ଦ ସାହୁଙ୍କ ପୁଅ ସୋମ୍ୟଜିତ ସାହୁ (୧୪) ଗତ ମାର୍ଚ୍ଚ ମାସ ୧୧ ତାରିଖ ରେ ହାବଳେଶ୍ୱର ହାଇସ୍କୁଲ୍ ନିକଟରେ ଏକ ବାଲି ବୋଝେଇ ହାଇୱା ଟ୍ରକରେ (ଓଡି- ୦୯ପି-୭୭୪୪) ପାଲ ଢାଙ୍କୁଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତ୍ତର ଆହତ ହୋଇଥିଲେ।
ସୋମ୍ୟଜିତଙ୍କୁ ପରିବାର ଲୋକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ।ପରବର୍ତ୍ତୀ ସମୟରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲକୁ ନିଆଯାଇଥିଲା।ନାବାଳକଙ୍କ ଡାହାଣ ହାତଟି ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ ହାତଟିକୁ କାଟିବା ସହ ଡାକ୍ତରଖାନା ରେ ଦୀର୍ଘ ୪୦ ଦିନ ପରେ ଘରକୁ ଫେରିଥିଲେ।
ନାବାଳକଙ୍କୁ ରାତିରେ ଏଭଳି କାର୍ଯ୍ୟରେ ନିୟୋଜିତ କରିଥିବା ଶାଳଣିଆଁ ପଞ୍ଚାୟତ ଅନ୍ତର୍ଗତ ଏଲକଣିଆଁ ଗ୍ରାମର ଯୋଗେନ୍ଦ୍ର ବେହେରା ଓ ତାଙ୍କ ପୁଅ ସୁଭାଶିଷ ବେହେରାଙ୍କ ବିରୁଦ୍ଧରେ ନାବାଳକ ର ମା ସୌଦାମିନୀ ସାହୁ ଗତ ୧୩.୦୫.୨୦୨୬ ରିଖ ରେ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ସୌଦାମିନୀଙ୍କ ଅଭିଯୋଗ ଅନୁଯାଇ ତାଙ୍କ ଅଜାଣତରେ ଯୋଗେନ୍ଦ୍ରଙ୍କ ସାନପୁଅ ସୁଭାଶିଷ ଘଟଣା ଦିନ ନିଜ ମୋବାଇଲ (ନଂ-୭୮୪୮୮୯୩୨୯୯) ରୁ ସୋମ୍ୟଜିତ କୁ ଫୋନ କରିବା ସହ ଟଙ୍କାର ପ୍ରଲୋଭନ ଦେଖାଇ ଗାଡିର ହେଲପର ହିସାବରେ ଡ଼ାକିନେଇଥିଲେ ।
ନାବାଳକର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ସ୍ୱାମୀ ଏକ ଗାଡି ଗ୍ୟାରେଜ କରି ପରିବାର ପ୍ରତିପୋଷଣ କରନ୍ତି। ଡାକ୍ତରଖାନାରେ ପୁଅର ଚିକିତ୍ସା ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଯୋଗେନ୍ଦ୍ର ଏବଂ ତାଙ୍କ ପୁଅ ସୁଭାଶିଷ ଆଉ ସହଯୋଗ କରୁନଥିବା ସୌଦାମିନୀ ଅଭିଯୋଗ କରିଛନ୍ତି। ପୁଅର ଚିକିତ୍ସା ପାଇଁ ଟଙ୍କା ମାଗିବାରୁ ଯୋଗେନ୍ଦ୍ର ତାଙ୍କୁ ବିଭିନ୍ନ ପ୍ରକାର ଧମକ ଦେଉଥିବା ନିଜ ଅଭିଯୋଗରେ ଦର୍ଶାଇଛନ୍ତି ।
ସୌଦାମିନୀଙ୍କ ଲିଖିତ ଅଭିଯୋଗ ଆଧାରରେ ନନ୍ଦିପଦା ଥାନା ପୁଲିସ ଅଭିଯୁକ୍ତ ଯୋଗେନ୍ଦ୍ର ଓ ତାଙ୍କ ପୁଅ ଶୁଭାଶିଷଙ୍କ ବିରୋଧରେ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟମାବଳୀ) ଆଇନ, ୧୯୮୬ର ଧାରା ୧୪(୧) ସମେତ ବିଭିନ୍ନ ଧାରାରେ ଏକ ମାମଲା (ନଂ – ୨୦୬/୨୦୨୬) ରୁଜ୍ଜୁ କରିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।
ସୌଦାମିନୀଙ୍କ ଅଭିଯୋଗକୁ ଭିତ୍ତି କରି ଆଇନଜୀବୀ ତଥା ମାନବାଧିକାରକର୍ମୀ ଶ୍ରୀ ବିଶ୍ୱାଳ ଓଡ଼ିଶା ମାନବଧିକାର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ନାବାଳକଙ୍କୁ ୩୦ ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ସହ କରାଇବ୍ରାଞ୍ଚ ତଦନ୍ତ ଦାବିକରି ଆୟୋଗଙ୍କ ନିକଟରେ ମାମଲା ରୁଜ୍ଜୁ କରିଥିଲେ ।
ମାମଲାର ଅଭିଯୋଗଗୁଡ଼ିକ ନାବାଳକଙ୍କ ମାନବାଧିକାରର ଉଲ୍ଲଂଘନକୁ ଦର୍ଶାଉଥିବା ମତ ପ୍ରକାଶ କରି ଓଡ଼ିଶା ମାନବାଧିକାର ଆୟୋଗ ଏହି ମାମଲାକୁ ଗ୍ରହଣ କରିଛନ୍ତି। ଆୟୋଗ କେନ୍ଦୁଝର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, କେନ୍ଦୁଝର ଏସ୍ପି, ଜିଲ୍ଲା ଶ୍ରମ ଅଧିକାରୀ ଏବଂ ଟିପିଏନ୍ଓଡିଏଲ୍ର ସିଇଓଙ୍କୁ ଅଭିଯୋଗରେ ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ଉପରେ ନିଜ ନିଜ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିଶେଷକରି, ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି କ୍ଷତିପୂରଣ ପ୍ରଦାନ କରାଯାଇଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଇବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୦୪.୧୨.୨୦୨୬ ରେ ହେବ ବୋଲି ଆଦେଶରେ ଉଲ୍ଲେଖ ରହିଛି ।



