କେନ୍ଦ୍ରାପଡ଼ାରେ ଜିଲ୍ଲାପାଳଙ୍କ ରାଜସ୍ୱ ଜନଶୁଣାଣି ଶିବିର…

୨୪ଟି ଅଭିଯୋଗ ଗ୍ରହଣ, ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ..

କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ):୧୦/୯- ସେପ୍ଟେମ୍ବର ଜନସାଧାରଣଙ୍କ ରାଜସ୍ୱ ସମ୍ପର୍କିତ ସମସ୍ୟାର ସମାଧାନ ତଥା ସେମାନଙ୍କ ଅଭିଯୋଗର ତ୍ୱରିତ ନିରାକରଣ ଉଦ୍ଦେଶ୍ୟରେ ଆଜି କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।
ଶିବିରରେ ଜିଲ୍ଲାପାଳ ଉପସ୍ଥିତ ଜନସାଧାରଣଙ୍କଠାରୁ ରାଜସ୍ୱ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ମୋଟ ୨୪ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ଏଥିରେ ଅନ୍‌ଲାଇନ୍ ରେକର୍ଡ (OLR), ମ୍ୟୁଟେସନ୍, ଜମିର ସୀମା ନିର୍ଦ୍ଧାରଣ, ରେକର୍ଡ କିପର ସମ୍ପର୍କିତ ସମସ୍ୟା, ଜବରଦଖଲ ଏବଂ ଲିଜ୍ ମାମଲା ଆଦି ବିଭିନ୍ନ ରାଜସ୍ୱ ସମସ୍ୟା ସାମିଲ ଥିଲା।
ଅଭିଯୋଗଗୁଡ଼ିକର ନିୟମାନୁଯାୟୀ ତଦନ୍ତ କରି ଯଥାଶୀଘ୍ର ସମାଧାନ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ତହସିଲଦାର କୁଇନି ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ରାଜସ୍ୱ ସମସ୍ୟାର ତ୍ୱରିତ, ସ୍ୱଚ୍ଛ ଓ ନିୟମସମ୍ମତ ସମାଧାନ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ।
ସୂଚନା ଯେ,ଜିଲ୍ଲାର ବିଭିନ୍ନ ତହସିଲ ଅଞ୍ଚଳରେ ଆଗାମୀ ଦିନରେ ରାଜସ୍ୱ ଜନଶୁଣାଣି ଶିବିର ଆୟୋଜନ କରାଯିବ। ସେପ୍ଟେମ୍ବର ୧୮ ତାରିଖରେ ରାଜକନିକା ତହସିଲ ଏବଂ ସେପ୍ଟେମ୍ବର ୨୩ ତାରିଖରେ ରାଜନଗର ତହସିଲରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବକ୍ରିଷ୍ଣ ଜେନା ଜନଶୁଣାଣି ଶିବିରରେ ଉପସ୍ଥିତ ରହିବେ।
ସେହିପରି ସେପ୍ଟେମ୍ବର ୧୯ ତାରିଖରେ ପଟ୍ଟାମୁଣ୍ଡାଇ ତହସିଲରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ ରାଜସ୍ୱ ଜନଶୁଣାଣି ଶିବିରରେ ଯୋଗଦେବେ। ଏହି ସମସ୍ତ ଶିବିର ପୂର୍ବାହ୍ନ ୧୦.୩୦ ମିନିଟ୍‌ରେ ଅନୁଷ୍ଠିତ ହେବ।
ରାଜସ୍ୱ ସମ୍ପର୍କିତ ସମସ୍ୟା ଥିବା ଜନସାଧାରଣ ନିର୍ଦ୍ଧାରିତ ତାରିଖରେ ଉପସ୍ଥିତ ରହି ନିଜ ଅଭିଯୋଗ ଦାଖଲ କରି ଏହି ଜନଶୁଣାଣି ଶିବିରର ସୁଯୋଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସେୟାର କରନ୍ତୁ

You May Like

Pin It on Pinterest