
ଭଦ୍ରକ(ଶୁଭ୍ରକାନ୍ତ ରାଉତରାୟ)ରାଜ୍ୟ ହେଉ କିମ୍ବା କେନ୍ଦ୍ର,ସରକାରଙ୍କ ପ୍ରଦତ୍ତ ଅନୁଦାନର ସଠିକ ବିନିଯୋଗ ହେଉନାହିଁ । ଆସୁଥିବା ଅନୁଦାନକୁ ଯେକୌଣସି ବାଟରେ ଖର୍ଚ୍ଚ କରି ବିଲ୍ ଉଠାଇ ଦେଲେ କଥା ସରିଲା । କରୋନା କାଳରେ ପୌରାଞ୍ଚଳ ପାଇଁ ‘ଉଇ’ ଯୋଜନାରେ ଆସିଥିବା ବିପୁଳ ପରିମାଣର ଅର୍ଥରାଶୀର ବାସ୍ତବ ବିନିଯୋଗ ହୋଇ ନାହିଁ । କେତେକ ସ୍ଥାନୀୟ ରାଜନୈତିକ ନେତାଙ୍କ ସଲାସୁତୁରାରେ ପୌର କର୍ତ୍ତୃପକ୍ଷଙ୍କ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଆସିଥିବା ଅର୍ଥରାଶୀର ସତ୍ ବିନିଯୋଗ କରିବାକୁ ଆଦୌ ଉଦ୍ୟମ କରି ନାହାନ୍ତି ।

ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚରମ୍ପା ୨ନମ୍ବର ୱାର୍ଡ଼ ରହଣିଆ ଠାରେ ଥିବା ଅମୃତ ପାର୍କର ବୋର୍ଟିଂ କ୍ଲବ କ୍ଷେତ୍ରରେ। ତଥ୍ୟ ଅନୁଯାୟୀ ପୌରପାଳିକାର ୨ନମ୍ବର ୱାର୍ଡ଼ ଚରମ୍ପା ରହଣିଆ ଠାରେ ଅମୃତ ଯୋଜନାରେ ଏକ ପାର୍କ ନିର୍ମିତ ହୋଇଥିଲା। ପ୍ରାୟ ୭୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପାର୍କ ନିକଟରେ ଏକ ବିଶାଳ ଜଳାଶୟକୁ ପୌର କର୍ତ୍ତୃପକ୍ଷ ସେ ସମୟରେ ବୋର୍ଟିଂ କ୍ଲବର ରୂପ ଦେଇଥିଲେ ।
ଭଦ୍ରକ ଜିଲ୍ଲାରେ ଏହା ଥିଲା ଏକମାତ୍ର ବୋଟିଂ କ୍ଲବ। କିନ୍ତୁ ଗତ ବର୍ଷ କରୋନାର ପ୍ରଥମ ଲହର ସମୟରେ କେନ୍ଦ୍ର ସରକାର ଲକଡାଉନ କଟକଣା ଜାରୀ କରିବା ପରେ ଏହି ପାର୍କ ଓ ବୋଟିଂ କ୍ଲବ ପରିତ୍ୟକ୍ତ ଅବସ୍ଥାକୁ ଆସି ଯାଇଥିଲା। କାରଣ ସର୍ବସାଧାରଣଙ୍କ ଚଳପ୍ରଚଳ ଉପରେ ରୋକ ଲାଗିଥିବାରୁ ପାର୍କ ନିକଟରେ ଥିବା ବୋଟିଂ କ୍ଳବ ବିଲାତି ଦଳରେ ଭର୍ତ୍ତୀ ହୋଇ ଯାଇଥିଲା। ଉକ୍ତ ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ପୌର କର୍ତ୍ତୃପକ୍ଷ ବିଶେଷକରି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏ ଦିଗରେ ଉଦାସୀନ ରହିଥିଲେ ।

ସହରାଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି ପାଇଁ ସରକାର ଉଇ ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଘୋଷଣା କରିବା ସହ ଏଥିପାଇଁ ଆର୍ଥୀନ ଅନୁଦାନ ଯୋଗାଇ ଦେଇଥିଲେ। ଏହିକ୍ରମରେ ଭଦ୍ରକ ପୌରପାଳିକାକୁ ଏକ କୋଟିରୁ ଅଧିକ ଅନୁଦାନ ଆସିଥିଲା। ଏହିକ୍ରମରେ ରହଣିଆ ବୋର୍ଟିଂ କ୍ଲବର ପୁନରୁଦ୍ଧାର ପାଇଁ ପାଖାପାଖି ୭ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର ହୋଇଥିଲା। ବଜରଙ୍ଗବାଲୀ ନାମକ ଏକ ସ୍ୱୟଂ ସହାୟିକ ଗୋଷ୍ଠିଙ୍କୁ ଉକ୍ତ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ୪୬୫ଜଣ ପୁରୁଷ ଓ ସମ ସଂଖ୍ୟକ ମହିଳାଙ୍କୁ ମିଶାଇ ମୋଟ ୯୩୦ ଜଣଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟିର ଉଦ୍ୟମ କରାଯାଇଥିଲା । କିନ୍ତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ୬ମାସ ମଧ୍ୟରେ ପାର୍କ ସନ୍ନିକଟ ଏହି ବୋଟିଂ କ୍ଲବ ପାଇଁ ଉଦ୍ଦିଷ୍ଟ ପୁଷ୍କରିଣୀ ପୁଣି ଦଳ ଗଡ଼ିଆରେ ପରିଣତ ହୋଇ ସାରିଛି ।

ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଠିକ ଭାବରେ ଏହି ବହୁ ଲକ୍ଷ ଟଙ୍କାର କାର୍ଯ୍ୟକୁ ତଦାରଖ କରିନଥିବା ଓ ଆସିଥିବା ଅନୁଦାନ ଠିକ ଭାବରେ ବିନିଯୋଗ ହୋଇନଥିବା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଇତିମଧ୍ୟରେ ପୁଣିୀ ୬ମାସ ବିତିଯାଇଛି। ଏହି ଅବଧି ମଧ୍ୟରେ ଉକ୍ତ ବୋଟିଂ କ୍ଳବର ପୁଷ୍କରିଣୀ ପୁଣି ଦଳ ଗଡ଼ିଆରେ ପରିଣତ ହୋଇଛି । ଏପରିକି ଉକ୍ତ ସ୍ଥାନରେ ôତବା ବୋଟ ଗୁଡ଼ିକକୁ ଉଠାଇ ଆଣି କର୍ତ୍ତୃପକ୍ଷ ପାର୍କ ମଧ୍ୟରେ ପକାଇ ରଖିଛନ୍ତି । ତେଣୁ ଉକ୍ତ ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ଉଇ ଯୋଜନାରେ ଆସିଥିବା ବିପୁଳ ଅର୍ଥକୁ ଯେଭଳି ଭାବରେ ପୌର କର୍ତ୍ତୃପକ୍ଷ ବିନିଯୋଗ କଲେ ତାହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ସ୍ଥାନୀୟ ବାସିନ୍ଦା।
ସୂଚନାଯୋଗ୍ୟ ୪ବର୍ଷ ପୂର୍ବେ ପୌରପାଳିକାର ଚରମ୍ପା ୨ନମ୍ବର ୱାର୍ଡ଼ ରହଣିଆ ଠାରେ ଲୋକାର୍ପିତ ହୋଇଥିଲା ଅମୃତ ସହର ଭଦକର ପ୍ରଥମ ଅମୃତ ପାର୍କ । କେବଳ ପାର୍କ ନୁହେଁ ଏକ ବୋଟିଂ କ୍ଳବର ସ୍ୱପ୍ନ ଦେଖିଥିବା ତତ୍କାଳୀନ ବିଧାୟକ ଓ ପୌରାଧ୍ୟକ୍ଷ ମାନସ ମହାନ୍ତିଙ୍କ ଆଶା ମଧ୍ୟ ବାସ୍ତବ ରୂପ ନେଇଥିଲା। ତତ୍କାଳୀନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଏହି ପାର୍କକୁ ଜିଲ୍ଲାପାଳଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ପାରିଷଦଙ୍କ ଉପସ୍ଥିତିରେ ଉଦଘାଟନ କରି ସହରବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ପାର୍କ ଓ ବୋଟିଂ କ୍ଳବ ପାଇଁ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଇତିମଧ୍ୟରେ ଏହି ପାର୍କ ଏବେ ପରିତ୍ୟକ୍ତ ଅବସ୍ଥାକୁ ଆସିଯାଇଛି ।



