
ପୁରୀ(ଜୟକୃଷ୍ଣ ଦାସ): ଆଗାମୀ ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଣବସର ଦିବସରେ ପ୍ରଭୁ ଶ୍ରୀ ଅଲାରନାଥ ମନ୍ଦିରକୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ସୁବିଧା, ସୁରକ୍ଷା ଏବଂ ସୁଚାରୁ ଦର୍ଶନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ପୁରୀ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ମନ୍ଦିର ପରିଦର୍ଶନ କରିଥିଲେ।
ପରିଦର୍ଶନ ଅବସରରେ ଶ୍ରୀ ସିଂ ମନ୍ଦିର ପରିସର, ଭକ୍ତମାନଙ୍କ ଦର୍ଶନ ବ୍ୟବସ୍ଥା, ପ୍ରବେଶ ଓ ପ୍ରସ୍ଥାନ ପଥ, ଗାଡ଼ି ପାର୍କିଂ ସ୍ଥାନ, ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଦିଗର ସମୀକ୍ଷା କରିଥିଲେ। ଅଲାରନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ସଦସ୍ୟମାନଙ୍କ ସହିତ ଆଲୋଚନା କରି ସେ ଅନବସର ସମୟରେ ହେଉଥିବା ବ୍ୟାପକ ଭିଡ଼ ଓ ଭକ୍ତମାନଙ୍କ ଆଗମନ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିଥିଲେ। ଆଲୋଚନା ବେଳେ ଭକ୍ତମାନେ କିପରି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ଦର୍ଶନ କରିପାରିବେ, ଦର୍ଶନ ପାଇଁ ସୁବ୍ୟବସ୍ଥିତ ଧାଡ଼ି ବ୍ୟବସ୍ଥା, ବୃଦ୍ଧ, ମହିଳା ଓ ଦିବ୍ୟାଙ୍ଗ ଭକ୍ତଙ୍କ ସୁବିଧା, ଜରୁରୀକାଳୀନ ସେବା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଏହା ସହିତ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ଯାନବାହନ ଚଳାଚଳକୁ ସୁଚାରୁ ରଖିବା ପାଇଁ ଟ୍ରାଫିକ୍ ପରିଚାଳନା, ଅସ୍ଥାୟୀ ପାର୍କିଂ ସ୍ଥାନ ଚିହ୍ନଟ, ଯାନବାହନ ପାଇଁ ବିକଳ୍ପ ରୁଟ୍ ବ୍ୟବସ୍ଥା ଏବଂ ପଥଚାରୀ ଭକ୍ତମାନଙ୍କ ସୁରକ୍ଷା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଅଣବସର ସମୟରେ ଅଧିକ ସଂଖ୍ୟାରେ ଆସୁଥିବା ଭକ୍ତମାନଙ୍କ ଅସୁବିଧା କୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ଉପଯୁକ୍ତ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ।
ଶ୍ରୀ ସିଂ ପୁରୀ ମନ୍ଦିରରେ ଚାଲିଥିବା ନୀତିକାନ୍ତି ସମୟରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ ଏବଂ ଭକ୍ତମାନେ ସୁଚାରୁ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ପୋଲିସ୍, ପ୍ରଶାସନ ଓ ଟ୍ରଷ୍ଟ ବୋର୍ଡ଼ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବାକୁ ଗୁରୁତ୍ୱାରୋପ କରିଥିଲେ। ଭିଡ଼ ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଏକ ସମନ୍ୱିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରି ଆବଶ୍ୟକ ମୁତୟନ କରାଯିବ ବୋଲି ସେ ସୂଚନା ଦେଇଥିଲେ।
ଏହି ସମୀକ୍ଷାରେ ସଦର ଉପ ଆୟୁକ୍ତ ଆରକ୍ଷୀ ଶ୍ରୀ ମାନସ ରଞ୍ଜନ ବାରିକ, ତହସିଲଦାର ବ୍ରହ୍ମଗିରି, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ରହ୍ମଗିରି, ବ୍ରହ୍ମଗିରି ଥାନା ଆରକ୍ଷୀ ନିରୀକ୍ଷକ ଶ୍ରୀ ବାମଦେବ ସ୍ୱାଇଁ ଏବଂ ଶ୍ରୀ ଅଲାରନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କ ସହିତ ଆଲୋଚନା କରି ଆଗାମୀ ଅଣବସର ଯାତ୍ରା ସମୟରେ ଭକ୍ତମାନଙ୍କୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ସୁଗମ ଦର୍ଶନ ସୁବିଧା ପ୍ରଦାନ କରିବା ଦିଗରେ ସମସ୍ତ ପ୍ରକାର ପ୍ରସ୍ତୁତି ତ୍ୱରାନ୍ୱିତ କରିବାକୁ ଶ୍ରୀ ସିଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।



