
ଜଗସିଂହପୁର(ପ୍ରଫୁଲ୍ଲ ସାହୁ): ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମିଳିତ ଆନୂକୂଲ୍ୟରେ ପାରାଦ୍ଵୀପର ଜୟଦେବ ସଦନଠାରେ “ସ୍ବାବଲମ୍ବୀ ଯୁବା-ସମୃଦ୍ଧ ଓଡ଼ିଶା ସମାବେଶ” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। “ବିକାଶର ଧାରା, ଓଡ଼ିଶା ସାରା” ର ଅହ୍ୱାନ ଆଧାରରେ ଆୟୋଜିତ ଏହି ସମାବେଶରେ ରାଜ୍ୟର ଯୁବଶକ୍ତିକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ନୂଆ ମାର୍ଗଦର୍ଶନ ମିଳିଛି।
ଏହି ଭବ୍ୟ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ର ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଥୂଲେ। ମାନନୀୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜ ପ୍ରେରଣାଦାୟୀ ବକ୍ତବ୍ୟରେ ଓଡ଼ିଶାର ଯୁବପିଢ଼ିଙ୍କୁ ଚାକିରୀ ପଛରେ ନଗୋଡ଼ାଇ ନିଜେ ଜଣେ ଜଣେ ସଫଳ ଉଦ୍ୟୋଗୀ ହେବାକୁ ଆହ୍ୱାନ ଦେଇଥିଲେ। ଓଡ଼ିଶାର ଯୁବକଯୁବତୀମାନେ ଯେପରି ‘ଜବ୍ ସିକର୍’ (Job Seeker) ନୁହେଁ, ବରଂ ‘ଜବ୍ କ୍ରିଏଟର୍’ (Job Creator) ସାଜି ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ, ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦେବାକୁ ସଂକଳ୍ପବଦ୍ଧ ବୋଲି ସେ ପ୍ରକାଶ କରିଥିଲେ।
ସେ ଆହୁରି ମଧ୍ଯ କହିଥିଲେ ଯେ ପାରାଦ୍ଵୀପ ଭଳି ଶିଳ୍ପ ସମୃଦ୍ଧ ଅଞ୍ଚଳରେ ଯୁବପିଢ଼ିଙ୍କୁ ଆଧୁନିକ ବୈଷୟିକ ଶିକ୍ଷା ଓ ଦକ୍ଷତା ପ୍ରଦାନ କରାଯାଇ ବିଶ୍ୱସ୍ତରୀୟ ବଜାର ପାଇଁ ପ୍ରସ୍ତୁତ କରାଯାଉଛି। କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ମନ୍ତ୍ରୀ ଉପସ୍ଥିତ ଯୁବ ଉଦ୍ୟୋଗୀ ଓ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବା ସହ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ।ଏହି ସମାବେଶରେ ବିଭାଗୀୟ ଉଚ୍ଚ ପଦାଧିକାରୀ, ସ୍ଥାନୀୟ ନେତୃବୃନ୍ଦ, ଶିଳ୍ପ ଜଗତର ପ୍ରତିନିଧି ଏବଂ ଶତାଧିକ ଛାତ୍ରଛାତ୍ରୀ ଓ ଯୁବ ଉଦ୍ୟୋଗୀ ଯୋଗ ଦେଇଥିଲେ।
ସରକାରଙ୍କ ଏହି ପ୍ରୟାସ ଆଗାମୀ ଦିନରେ ଓଡ଼ିଶାର ଶିଳ୍ପ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଯୁବକଯୁବତୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା।



