
ତେନ୍ତୁଳୀଖୁଣ୍ଟି(ବାସ୍ତବ କଥା):-AgriStack ID ପଞ୍ଜୀକରଣକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଓ ଆଶଙ୍କା ଦେଖାଦେଇଛି। ଏନେଇ ତେନ୍ତୁଳୀଖୁଣ୍ଟି ବ୍ଲକ ପୁଜାରୀଗୁଡ଼ା ଗ୍ରାମରେ ଅଞ୍ଚଳର ଚାଷୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ AgriStack ID ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀମାନେ ବିଭିନ୍ନ ସମସ୍ୟା ଓ ଆଶଙ୍କା ଉପସ୍ଥାପନ କରିଥିଲେ। ଚାଷୀମାନଙ୍କ କହିବା ଅନୁଯାୟୀ, ଅଞ୍ଚଳର ବହୁ ଆଦିବାସୀ, ଦଳିତ, ପଛୁଆ ଓ ସାଧାରଣ ବର୍ଗର ପରିବାର ପିଢ଼ି ପିଢ଼ି ଧରି ଜମି ଚାଷ କରି ଆସୁଛନ୍ତି। ହେଲେ ଅନେକ ଜମିର ପଟ୍ଟା ଏବେ ମଧ୍ୟ ଚାଷ କରୁଥିବା ପରିବାରର ନିଜ ନାମରେ ନଥାଇ ଅଜା, ଆଇ, ବାପା କିମ୍ବା ଅନ୍ୟ ପୂର୍ବପୁରୁଷଙ୍କ ନାମରେ ରହିଛି।
ଏଭଳି ସ୍ଥିତିରେ ନୂଆ ବ୍ୟବସ୍ଥା ଅନୁଯାୟୀ ପଞ୍ଜୀକରଣ କରିବା ସମୟରେ ପ୍ରକୃତ ଚାଷୀମାନେ ବଞ୍ଚିତ ହେବାର ଆଶଙ୍କା ରହିଥିବା ସେମାନେ କହିଛନ୍ତି। ଜମି ରେକର୍ଡରେ ନାମ ପରିବର୍ତ୍ତନ ଓ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ସମୟସାପେକ୍ଷ ହୋଇଥିବାରୁ ହଠାତ୍ ନୂଆ ପଞ୍ଜୀକରଣ ବ୍ୟବସ୍ଥାକୁ କଠୋର ଭାବେ ଲାଗୁ କରାଗଲେ ଚାଷୀମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେବା ସହ ଜମି ଅଧିକାରକୁ ନେଇ ପରିବାର ମଧ୍ୟରେ ବିବାଦ ଉପୁଜିପାରେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।
ତେଣୁ ପୂର୍ବରୁ ଯେଉଁ ପ୍ରକ୍ରିୟାରେ ଚାଷୀମାନେ ପଞ୍ଜୀକରଣ କରିଆସୁଥିଲେ, ସେହି ବ୍ୟବସ୍ଥାକୁ ବଜାୟ ରଖିବା ସହ ଜମି ରେକର୍ଡରେ ପୂର୍ବପୁରୁଷଙ୍କ ନାମ ଥିବା ଚାଷୀମାନଙ୍କ ପାଇଁ ସରଳ ବିକଳ୍ପ ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଛି। ପ୍ରକୃତ ଚାଷୀଙ୍କ ହିତକୁ ପ୍ରାଥମିକତା ଦେଇ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଚାଷୀମାନେ ନିବେଦନ କରିଛନ୍ତି।
ବୈଠକରେ ଚାଷୀ ତଥା ସମାଜସେବୀ ନାରାୟଣ ପାତ୍ର, ପ୍ରହ୍ଲାଦ ହିଆଲ, ବସନ୍ତ ପାଣିଗ୍ରାହୀ, ଅଖିଳ ଭତ୍ରା, କିଶୋର ସିଂ, ଭାସ୍କର ଖୁରା, ମନମୋହନ ଦଳପତି, ଧୂରେନ୍ଦ୍ର ମହାପାତ୍ର, କୃଷ୍ଣ ପାଡ଼ି, ବିଜୟୀ କର୍କରା, ଦୁଲୋବ ଗୌଡ଼, ଭୀମ ପାଣିଗ୍ରାହୀ, ହେମନ୍ତ ଜାନି, ଲୁକୁ ନାଥ ପୁଜାରୀ, ନୀଳ ବାଘ, ରୁନୁ ପାଣି, ଅନୁରଞ୍ଜନ ହିଆଲ, ଗ୍ରେସୀ ମଣି ଖୁରା, କୁମର ପାତ୍ର, ଦୁଆରିକା ମହାପାତ୍ର ଓ ବନମାଳୀ ଜାନୀଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।
AgriStack ID ପଞ୍ଜୀକରଣକୁ ନେଇ ସରକାର ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସ୍ପଷ୍ଟ ସମାଧାନ ନ କଲେ ଆଗାମୀ ଦିନରେ ଚାଷୀମାନେ ଏକଜୁଟ ହୋଇ ନିଜ ଅଧିକାର ପାଇଁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିବେ ବୋଲି ବୈଠକରେ ଚେତାବନୀ ଦିଆଯାଇଛି।


