
ପୁରୀ(ଜୟକୃଷ୍ଣ ଦାସ):ଶ୍ରୀମନ୍ଦିର ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ!ପୁରୀ ବଡ଼ଦାଣ୍ଡ ଅଞ୍ଚଳରେ, ବଲବଣ୍ଡି ଛକ ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ୱରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ଉପରେ ବେଆଇନ ଭାବେ ଏକ ପେଟ୍ରୋଲ ପମ୍ପ ନିର୍ମାଣ ଚାଲିଥିବା ର ସାମ୍ନାକୁ ଆସିଛି।
ପୁରୀ ସଦର ତହସିଲ ଅଧୀନ ପୁରୀ ମୁନିସିପାଲିଟି ଅଞ୍ଚଳର ୱାର୍ଡ ନମ୍ବର ୨୧, ଖାତା ନମ୍ବର ୨୪୫ ଓ ପ୍ଲଟ ନମ୍ବର ୩୬୦ର ଜମିର ମାଲିକାନା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଛି। ଏହି ଜମି ‘ଶ୍ରୀକ୍ଷେତ୍ର ମାର୍ଫତ ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର ପରିଚାଳନା କମିଟି, ପୁରୀ’ ଅଧୀନରେ ଥିବା ଦାବି କରାଯାଉଛି।
ଜାତୀୟ ରାଜପଥ ପାର୍ଶ୍ୱରେ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ନିର୍ମାଣ ପାଇଁ ସମସ୍ତ ଆଇନଗତ ଅନୁମତି ଓ ଆବଶ୍ୟକ ମଞ୍ଜୁରୀ ନିଆଯାଇଛି କି? ଯଦି ଅନୁମତି ନିଆଯାଇନାହିଁ, ତେବେ ଦିନରାତି ନିର୍ମାଣ କାର୍ଯ୍ୟ କିପରି ଚାଲିଛି?
ଏହାସହ ପେଟ୍ରୋଲ ପମ୍ପ ନିକଟରେ ବଡ଼ ମେଡିକାଲ, ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ ଥିବାରୁ ଅଗ୍ନି ନିରାପତ୍ତା, ଯାତାୟାତ ଓ ସାଧାରଣ ଲୋକଙ୍କ ସୁରକ୍ଷା ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠୁଛି।
ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲା ପ୍ରଶାସନ, ପୁରୀ ମୁନିସିପାଲିଟି/ସମ୍ପୃକ୍ତ ଅଧିକାରୀ ଏବଂ ଆଇନ ବିଭାଗ ପକ୍ଷରୁ କାହିଁକି ଏପର୍ଯ୍ୟନ୍ତ ଠୋସ ପଦକ୍ଷେପ ନିଆଯାଇନାହିଁ—ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ଏହାର ସତ୍ୟତା ଯାଞ୍ଚ କରି ଜମିର ମାଲିକାନା, ନିର୍ମାଣ ଅନୁମତି, ପେଟ୍ରୋଲ ପମ୍ପ ପାଇଁ ଆବଶ୍ୟକ ସମସ୍ତ ଆଇନଗତ ଅନୁମୋଦନ ଏବଂ ସୁରକ୍ଷା ମାନଦଣ୍ଡ ସମ୍ପର୍କରେ ପ୍ରଶାସନ ତୁରନ୍ତ ସ୍ପଷ୍ଟୀକରଣ ଦେବା ସହ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।




