
ମାନସିକ ଅନଗ୍ରସର ଓ ଅନ୍ତେବାସୀଙ୍କୁ ଆତ୍ମନିର୍ଭର ପାଇଁ ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ ।
ଚପଲ କିଣି ଉତ୍ସାହିତ କଲେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ।
ଝାରସୁଗୁଡ଼ା(ବାସ୍ତବକଥା): ଝାରସୁଗୁଡା ସହରସ୍ଥିତ କକ୍ସ କଲୋନୀରେ ଅବସ୍ଥିତ ‘ମିଶନ ଆଶାଲୋକ-୧’ ପରିସରରେ ମାନସିକ ରୋଗୀ ଓ ଅନ୍ତେବାସୀଙ୍କ ମାନସିକ-ସାମାଜିକ ପୁନର୍ବାସ ତଥା ସ୍ୱାବଲମ୍ବନ ଲକ୍ଷ୍ୟରେ ଏକ ନୂତନ ରବର ଚପଲ ତିଆରି ବୃତ୍ତିଗତ ୟୁନିଟ୍ ଶୁଭାରମ୍ଭ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ (ଭା.ପ୍ର.ସେ.) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ୟୁନିଟ୍ର ବିଧିବଦ୍ଧ ଉଦ୍ଘାଟନ କରିଛନ୍ତି।
ଏହି ସ୍ୱତନ୍ତ୍ର ତାଲିମ କେନ୍ଦ୍ର ଅନ୍ତେବାସୀମାନଙ୍କୁ କର୍ମନିୟୋଜିତ କରି ସେମାନଙ୍କ ଆରୋଗ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଏକ ନୂଆ ମାର୍ଗ ଉନ୍ମୁକ୍ତ କରିବ।ଉଦ୍ଘାଟନୀ ସମାରୋହରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାୟକ, କନିଷ୍ଠ ସହାୟକ ଆଦିତ୍ୟ କୁମାର ବାଦୀ, ମିଶନ ଆଶାଲୋକ-୧ର ପ୍ରୋଗ୍ରାମ ମୁଖ୍ୟ ଶ୍ରୀ ଦିଲ୍ଲୀପ କୁମାର ମହାନ୍ତି ଏବଂ ‘ୱେଷ୍ଟର୍ଣ୍ଣ ଜୋନ୍ ପିପୁଲ୍ସ ଫୋରମ୍’ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାପାଳ ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରି କହିଥିଲେ ଯେ, ବୃତ୍ତିଗତ କୌଶଳ ମାନସିକ ଅବସାଦ ଦୂର କରି ଆତ୍ମସମ୍ମାନ ଫେରାଇବାରେ ସହାୟକ ହୋଇଥାଏ।
କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ସହଭାଗିତା ଦର୍ଶାଇ ଜିଲ୍ଲାପାଳ ଶ୍ରୀ ଚହ୍ବାଣ, ଡିଏସ୍ଏସ୍ଓ ଏବଂ ଅନ୍ୟାନ୍ୟ ଅତିଥିମାନେ ଅନ୍ତେବାସୀଙ୍କ ଦ୍ୱାରା ନିର୍ମିତ ରବର ଚପଲ କିଣି ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଉତ୍ପାଦିତ ସାମଗ୍ରୀର ଗୁଣବତ୍ତା ବୃଦ୍ଧି ଏବଂ ବଜାର ପ୍ରବେଶକୁ ସୁନିଶ୍ଚିତ କରିବା ନିମନ୍ତେ ଅତିଥିମାନେ ଗଠନମୂଳକ ପରାମର୍ଶ ମଧ୍ୟ ପ୍ରଦାନ କରିଥିଲେ। ପରିଶେଷରେ ପରିସର ମଧ୍ୟରେ ଜିଲ୍ଲାପାଳ ଏକ ବୃକ୍ଷରୋପଣ କରିଥିଲେ।
ଏହି ୟୁନିଟ୍ରୁ ଉତ୍ପାଦିତ ରବର ଚପଲ ବିକ୍ରୟରୁ ଯେଉଁ ଲାଭ ମିଳିବ, ତାହାର ସମ୍ପୂର୍ଣ୍ଣ ଲଭ୍ୟାଂଶ ସିଧାସଳଖ ଅନ୍ତେବାସୀମାନଙ୍କୁ ସେମାନଙ୍କ ପାରିଶ୍ରମିକ ଓ ରୋଜଗାର ବାବଦରେ ପ୍ରଦାନ କରାଯିବ। ଏହାଦ୍ୱାରା ସେମାନେ କେବଳ ମାନସିକ ସ୍ତରରେ ସୁସ୍ଥ ହେବେ ନାହିଁ, ବରଂ ନିଜ ଗୋଡ଼ରେ ନିଜେ ଠିଆ ହୋଇ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବାର ଏକ ସ୍ଥାୟୀ ମାଧ୍ୟମ ପାଇପାରିବେ। ନିଜ ପରିଶ୍ରମର ଫଳ ପାଇବା ଫଳରେ ଅନ୍ତେବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆସିବ ବୋଲି ପ୍ରଶାସନ ତରଫରୁ ଆଶା ପ୍ରକଟ କରାଯାଇଛି। ଏହି ଅବସରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଜଣ ଅନ୍ତେବାସୀଙ୍କୁ ଆନୁଷ୍ଠାନିକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।



