
ନବୀନ ଦାଶ(ବରଗଡ଼):ବରଗଡ଼ ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ,ହେଲେ ବରଗଡ଼ ଜିଲ୍ଲାରେ ଏବେ ପାଣି ସଙ୍କଟ।ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଧୋକା ଦେଉଛି ବର୍ଷା, ବରଗଡ଼ ଜିଲ୍ଲାର ପଂଜିକୃତ ଚାଷୀ ସଂଖ୍ୟା ୧,୩୪,୫୯୧। ଅର୍ଥାତ ରାଜ୍ୟର ୧୦ ପ୍ରତିଶତ ଚାଷୀ କେବଳ ବରଗଡ଼ ଜିଲ୍ଲାର। ଜିଲ୍ଲାର ୧୨ଟି ବ୍ଲକ ମଧ୍ୟରୁ ୯ଟି ବ୍ଲକ୍ ଅଣଜଳସେଚିତ। ଅଣଜଳସେଚିତ ବ୍ଲକ୍ ର ଚାଷୀମାନେ କେବଳ ବର୍ଷା ଉପରେ ନିର୍ଭର କରି କୃଷି କରୁଛନ୍ତି। ଜିଲ୍ଲାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୩୩୭.୫ ମିମି ହେବା କଥା। କିନ୍ତୁ ଗତ ପାଞ୍ଚ ବର୍ଷ ହେଲା ଏହା ହଜାରେ ପାଖାପାଖି ରହୁଛି। ଖରିଫ୍ ଚାଷ ପାଇଁ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ଯାଏ ଧାନ ଚାଷ ପାଇଁ ବର୍ଷା ଆବଶ୍ୟକ। କିନ୍ତୁ ମୌସୁମୀ କିମ୍ବା ପ୍ରାକ୍ ମୌସୁମୀ ବର୍ଷା ପର୍ଯ୍ୟାପ୍ତ ହେଉନଥିବାରୁ ବରଗଡ଼ ଜିଲ୍ଲା ଚାଷୀକୁଳ ହତାଶ ଏବେ ବରଗଡ଼ରେ ଆସନ୍ନ ମରୁଡ଼ିର ପାଦଶବ୍ଦ ।
ଗତ ୧୦ ବର୍ଷର ବର୍ଷା ହାର ଦେଖିଲେ ସ୍ପଷ୍ଟ ହୂଏକି, ଯେଉଁ ବର୍ଷ ଜିଲ୍ଲାରେ ସ୍ବାଭାବିକ ପାଖାପାଖି ବର୍ଷା ହେଉଛି, ତାହା ଲଘୁଚାପଜନିତ; ମୌସୁମୀ ବର୍ଷାର ଆଉ ଦେଖାନାହିଁ। ଏଣୁ ସ୍ବାଭାବିକ ଭାବେ ଏଥର ବି ମୌସୁମୀର ଆଗମନକୁ ନେଇ ଜିଲ୍ଲାର ଚାଷୀମାନେ ହାତୁଛାଇଟି ହତୋତ୍ସାହିତ । ଏବର୍ଷ ଏପ୍ରିଲ୍ରୁ ଜୁନ୍ ପର୍ଯ୍ୟନ୍ତ (ପ୍ରଥମ ତିନିମାସ) ଜିଲ୍ଲାରେ ହାରାହାରି ବୃଷ୍ଟିପାତ ହାର ମାତ୍ର ୧୨ ମିମି ରହିଛି। ଏପ୍ରିଲ୍ରେ ମାତ୍ର ୫.୪୦ ମିମି ବର୍ଷା ହୋଇଛି। ମେ’ ମାସରେ ୧୯.୩୩ ମିମି ଏବଂ ଜୁନ୍ ୧୭ ତାରିଖ ଯାଏ ୧୨.୦୩ ମିମି ବର୍ଷା ରେକର୍ଡ ହୋଇଛି। ଏହି ତିନିମାସରେ ଜିଲ୍ଲାରେ ହାରାହାରି ୨୫୦ ମିମି ବର୍ଷା ହେବା କଥା।

ଏଣୁ ପୁନର୍ବାର ନିଶ୍ଚିତ ଅଣଜଳସେଚିତ ବ୍ଲକ୍ରେ ଖରିଫ୍ ଚାଷ ପ୍ରଭାବିତ ହେବ। ଗତ ଖରିଫରେ ରାଜ୍ୟରେ ୧୫,୪୩,୩୭୫ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ। ଏଥିରୁ କେବଳ ବରଗଡ଼ ଜିଲ୍ଲାର ଚାଷୀ ସଂଖ୍ୟା ହେଲା ୧,୩୪,୫୯୧। ଅର୍ଥାତ ରାଜ୍ୟର ୧୦ ପ୍ରତିଶତ ଚାଷୀ କେବଳ ବରଗଡ଼ ଜିଲ୍ଲାର। ରାଜ୍ୟରେ ଗତ ଖରିଫରେ ମୋଟ୍ ୫,୭୨,୨୩,୦୩୭ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ଏଥିରୁ ବରଗଡ଼ ଜିଲ୍ଲାର ଭାଗ ହେଲା ୬୧,୪୧,୦୨୧ କ୍ବିଣ୍ଟାଲ। ସରକାରୀ ଭାବେ ବରଗଡ଼ ଜିଲ୍ଲାରେ ରାଜ୍ୟର ୧୧% ପାଖାପାଖି ଧାନ ଖରିଫ୍ ଋତୁରେ ବାହାରୁଛି। ଅଣପଞ୍ଜୀକୃତ ଚାଷୀଙ୍କ କଥା ବିଚାରକୁ ନେଲେ ଏହି ପ୍ରତିଶତ ୧୫ ଉପରକୁ ଟପିଯିବ। ତେଣୁ ବରଗଡ଼ ଜିଲ୍ଲାରେ ଠିକଣା ସମୟରେ ବର୍ଷା ନହେବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଅନ୍ୟପଟେ ଚାଷୀର ବିଲମୁଣ୍ଡକୁ ପାଣି ପହଞ୍ଚାଇବାରେ ସରକାର ବି ଆଜି ପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି ।