
କଟକ(ସଞ୍ଜୟ ଶତପଥୀ): କଟକର ରେଳବାଇ ପକ୍ଷରୁ କୌଣସି ଅଧିକାରୀଙ୍କ ଦସ୍ତଖତ ନଥାଇ ଏକ ନୋଟିସ ଗୋର୍ଖା କଲୋନୀ ବସ୍ତିର ଘରମାନଙ୍କରେ ଲଗା ଯାଇଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଉଛେଦ ପାଇଁ କୁହାଯାଇଛି। ବିନା ଥଇଥାନରେ ଏହି ବେଆଇନ ନୋଟିସ୍ ବିରୁଦ୍ଧରେ ଆଜି କଟକ ରେଳ ବିଭାଗର ସିନିୟର ସେକ୍ସନ ଇଞ୍ଜିନିୟର (ଏସ୍. ଏସ୍. ଇ) ୱାର୍କ୍ସ ଅଫିସ୍ ସମ୍ମଖରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ଶତାଧିକ ବସ୍ତିବାସିନ୍ଦାଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଟକର ଏହି ଗୋର୍ଖା ବସ୍ତି ବହୁ ପୁରାତନ ବସ୍ତି।
ବସ୍ତିର ଲୋକମାନେ ରେଲୱେ ଷ୍ଟେସନରେ ସଫେଇ କର୍ମୀ ଭାବରେ ପିଢ଼ି ପରେ ପିଢ଼ି କାମ କରି ଆସୁଛନ୍ତି। ଦିନରାତି ସେହି ବସ୍ତିର ଲୋକମାନେ ଷ୍ଟେସନ ସଫେଇ କାର୍ଯ୍ୟରେ ଲିପ୍ତ ଥାଆନ୍ତି। ସେମାନଙ୍କ ପିଲାଛୁଆମାନେ ସେଠାରେ ଥିବା ସ୍ଥାନୀୟ ରେଲୱେ ସ୍କୁଲରେ ପାଠ ପଢ଼ନ୍ତି। ସେ ବସ୍ତିରେ ଅଧିକାଂଶ ଲୋକ ଦଳିତ ସମ୍ପ୍ରଦାୟର। ସେମାନଙ୍କର କୌଣସି ବିକଳ୍ପ ବ୍ୟବସ୍ଥା ନକରା ଯାଇ ସେମାନଙ୍କୁ ଉଛେଦ ନୋଟିସ ଦେବା ମହାନଗର ନିଗମ ଆଇନକୁ ବିରୁଦ୍ଧାଚରଣ କରୁଛି।
ଏଣୁ ଏହି ବେଆଇନ ଉଛେଦ ପ୍ରତିବାଦରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ଶତାଧିକ ବସ୍ତି ବାସିନ୍ଦା ବିକ୍ଷୋଭ ପ୍ରଦର୍ଶନ କରି ଏସ୍ .ଏସ୍ .ଇ (ୱାର୍କ୍ସ) ଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ। ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ର ଆବାହକ ଶ୍ରୀ ଖଗେଶ୍ୱର ସେଠୀ ଙ୍କ ନେତୃତ୍ବରେ ଏସ୍. ୟୁ. ସି .ଆଇ (ସି) ଜିଲ୍ଲା ସମ୍ପାଦକ ଶ୍ରୀ ବିଶ୍ୱାବସୁ ଦାସ, ଶ୍ରୀ ବସନ୍ତ ନାୟକ, ବସ୍ତିର ନେତା ଶ୍ରୀ ଦୀପକ ଦାସ ପ୍ରମୁଖ ନିଜ ନିଜର ବକ୍ତବ୍ଯ ରଖିଥିଲେ। ଶ୍ରୀ ବିଜୁ ନାୟକ, ଶ୍ରୀ ପବିତ୍ର ଘଡ଼ାଇ, ଶ୍ରୀ ପିଣ୍ଟୁ ନାୟକ, ଶ୍ରୀ ମୋହନ ନାୟକ ଓ ଶ୍ରୀମତୀ ମଞ୍ଜୁ ନାୟକ ପ୍ରମୁଖ ଏହି ଆନ୍ଦୋଳନ ରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ।




