
ଭୁବନେଶ୍ୱର:ବାଲେଶ୍ଵରର ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ରେଞ୍ଜରୁ,ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO) ଏବଂ ଭାରତୀୟ ନୌସେନାର ମିଳିତ ସହଯୋଗରେ ମଙ୍ଗଳବାର ଭର୍ଟିକାଲ ଲଞ୍ଚ ସଟ୍ ରେଞ୍ଜ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରୁଥିବା କ୍ଷେପଣାସ୍ତ୍ର(VL-SRSAM)ର ସଫଳ ପରୀକ୍ଷଣ କରାଯାଇଛି। ଆଶା ମୁତାବକ କ୍ଷେପଣାସ୍ତ୍ର ସଠିକ୍ ଲକ୍ଷ୍ୟଭେଦ କରିଛି। ମିସାଇଲ ନିଜର ଗତି ଏବଂ ମାରକ କ୍ଷମତା ପାଇଁ ପରିଚିତ। ସ୍ୱଦେଶୀ ଜ୍ଞାନ କୌଶଳରେ କ୍ଷେପଣାସ୍ତ୍ରର ନିର୍ମାଣ କରାଯାଇଛି। ଏହାର ଗତି ଏତେ ଅଧିକ ଯେ, ଶତ୍ରୁର ରାଡାର ମଧ୍ୟ ଏହାକୁ ଧରି ପାରିବ ନାହିଁ।
କ୍ଷେପଣାସ୍ତ୍ରରେ ସ୍ଵଦେଶୀ ରେଡିଓ ଫ୍ରିକ୍ଵେନ୍ସି ସିକର ଲଗାଯାଇଛି, ଯାହା ଏହାର ଲକ୍ଷ୍ୟଭେଦ କ୍ଷମତାକୁ ଆହୁରି ବଢାଇ ଦେଉଛି। ଆଜିର ପରୀକ୍ଷଣରେ କ୍ଷେପଣାସ୍ତ୍ର ଅଧା ରାସ୍ତାରେ ହିଁ ନିଜର ଲକ୍ଷ୍ୟକୁ ଧ୍ଵସ୍ତ କରିଛି। କମ ଉଚ୍ଚତାରେ ଉଡୁଥିବା ଟାର୍ଗେଟ୍ ଯେପରିକି ରାଡାକୁ ଚକମା ଦେଉଥିବା ବିମାନ, ଡ୍ରୋନ, ମିସାଇଲ କିମ୍ବା ହେଲିକପ୍ଟରକୁ ଏହା ଧ୍ଵଂସ କରିବାରେ ସକ୍ଷମ। ଅର୍ଥାତ ଭାରତକୁ ଏବେ ଶତ୍ରୁ ଦେଶ ଏହି ତରିକାରେ ଚକମା ଦେଇ ପାରିବେ ନାହିଁ। ଭାରତୀୟ ମିସାଇଲ୍ ନିମିଷକେ ଶତ୍ରୁର ଲକ୍ଷ୍ୟକୁ ଧ୍ଵସ୍ତ କରି ଦେଇ ପାରିବ ।
ଆଜି ପରୀକ୍ଷଣ କରାଯାଇଥିବା ଭିଏଲ-ଏସଆରଏସଏଏମ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ହେଉଛି ୨୫ରୁ ୩୦ କିଲୋମିଟର। ଏହା ସର୍ବାଧିକ ୧୨ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଗତି କରି ପାରିବ। ଏହାର ଗତି ବାରାକ-୧ଠୁ ଦୁଇ ଗୁଣ ଅଧିକ। ଏହା ମ୍ୟାକ୍ ୪.୫ ଅର୍ଥାତ ଘଣ୍ଟା ପ୍ରତି ୫୫୫୬.୬ କିଲୋମିଟର ବେଗରେ ଉଡାଣ ଭରି ପାରିବ। ଏହାକୁ ଯେ କୌଣସି ଯୁଦ୍ଧ ଜାହାଜରୁ ନିକ୍ଷେପ କରାଯାଇ ପାରିବ।
ସଂପ୍ରତି ଭାରତୀୟ ନୌସେନା ଏହି କ୍ଷେପଣାସ୍ତ୍ରର କୌଣସି ନାମକରଣ କରି ନାହିଁ। ଏହାକୁ ବାରାକ-୧ କ୍ଷେପଣାସ୍ତ୍ର ସ୍ଥାନରେ ଲଗାଯିବାର ଯୋଜନା କରାଯାଇଛି। ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ରର ଓଜନ ୧୫୪ କିଲୋଗ୍ରାମ। ଏହାର ଲମ୍ବ ୧୨.୬ ଫୁଟ୍ ଏବଂ ଓସାର ୭ ଇଞ୍ଜ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ର ପ୍ରଣାଳୀର ସଫଳ ଆକାଶମାର୍ଗ ପରୀକ୍ଷଣ ନିମନ୍ତେ ଡିଆରଡିଓ, ଭାରତୀୟ ନୌସେନା ଏବଂ ଏହା ସହ ଜଡ଼ିତ ସମସ୍ତଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ।ସେ କହିଛନ୍ତି କି, ଏହି କ୍ଷେପଣାସ୍ତ୍ର ଭାରତୀୟ ନୌସେନାର ଶକ୍ତିକୁ ବହୁଗୁଣିତ କରିବ ।
ସଫଳ ଫ୍ଲାଇଟ୍ ଟେଷ୍ଟରେ ନିୟୋଜିତ ସବୁ ବୈଜ୍ଞାନିକ ଏବଂ ଅନ୍ୟ ଅଧିକାରୀମାନଙ୍କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଅଭିନନ୍ଦନ ଜଣାଇଛନ୍ତି । ଏହି ପରୀକ୍ଷଣ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଭାବଶୀଳତାକୁ ପ୍ରମାଣିତ କରିଛି ବୋଲି ସେ କହିଛନ୍ତି।