
କଟକ(ସଂଜୟ ଶତପଥୀ): ଭାଇଚାରାର ସହର କଟକ ବୋଲି ସମସ୍ତେ କହୁଥୂବା ବେଳେ ଆଜି ଏହି ଭାଇଚାରାର ସହର କଟକ ରେ ଏକ ଅଭାବନୀୟ ହୃଦୟ ବିଦାରକ ଘଟଣା ଘଟିଯାଇଛି ଯାହାକି କଟକ ସହରବାସୀ ଙ୍କ ମନରେ ଏକ ଅଜଣା ଭୟର ବାତାବରଣ ସୃଷ୍ଟି କରିଛି।
ବାସ୍ତବ ଖୋଜଖବର ରୁ ଜଣାପଡିଛି ଯେ,ଗତ ଶ୍ରୀ ଗଣେଶ ପୂଜାରେ ସନସାଇନ୍ ପଡ଼ିଆ ନିକଟସ୍ଥ ବୁରୁଜସାହି ଓ ଗଣେଷଘାଟ ମଧ୍ୟରେ ଏକ ଛୋଟ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା ଏବଂ ଏହାକୁ ନେଇ ସ୍ଥାନୀୟ ପୁରୀଘାଟ ଥାନାରେ ଉଭୟ ପକ୍ଷରୁ ଏତଲା ମଧ୍ୟ ଋଜ୍ଜୁ କରାଯାଇଥିଲା।
ସେହିଦିନ ଠାରୁ ଗଣ୍ଡଗୋଳ ର ମଞ୍ଜି ପୋତା ହୋଇଥିଲା ବୋଲି ଯାହା ଚର୍ଚ୍ଚା ହୁଏ। ଆଜି ହଠାତ୍ ସେହି ପୂର୍ବ ଘଟଣାକୁ କେନ୍ଦ୍ର କରି ସନସାଇନ୍ ପଡ଼ିଆ ନିକଟରେ ଥିବା ଚାହା ଦୋକାନ ସମ୍ମୁଖରେ ଗାଡ଼ି ରଖିବା ନେଇ ବିବାଦ ସୃଷ୍ଟି ହୋଇଥିଲା ଏବଂ ଏହା ଏତେ ଉଗ୍ର ରୂପ ନେଇଥିଲା ଯେ, ଗଣେଶ ଘାଟ ର ସଭାପତି ଶ୍ରୀ ଅମରେନ୍ଦ୍ର ସାମଲ ଯିଏକି ୧ ବର୍ଷ ପୂର୍ବରୁ କଟକ ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ରୁ ଅବସର ନେଇଥିବା କ୍ରୀଡା ପ୍ରଶିକ୍ଷକ ଏହି ଘଟଣାର ସମାଧାନ ଲାଗି ବୁରୁଜ ସାହି କୁ ଯିବା ସମୟରେ ସନସାଇନ୍ ପଡ଼ିଆ ନିକଟରେ ମା’ମାହେଶ୍ବରୀଙ୍କ ମନ୍ଦିର ଦ୍ବାର ନିକଟରେ ବୁରଜସାହି ର ଯୁବକ ମାନଙ୍କ ଦ୍ଵାରା ବର୍ବୋରଚିତ ଆକ୍ରମଣ ର ଶିକାର ହେବା ସହ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିବା ଏକ ଦୁଃଖଦ ଘଟଣା।
ଏପରିକି ଏହି ସଶସ୍ତ୍ର ଆକ୍ରମଣ ଏତେ ଭୟଙ୍କର ଥିଲା କି, ସର୍ବସାଧାରଣ ବା ଭ୍ରାମ୍ୟମାଣ ପୋଲିସ୍ ଗାଡ଼ିର କର୍ମଚାରୀମାନେ ମୃତ ସାମଲଙ୍କୁ ଉଦ୍ଧାର କରିବାକୁ ଯାଇ ପାରିନଥୂଲେ। ଭୁବନେଶ୍ଵର ର ବାଲିଅନ୍ତା ର ରେଲୱେ କନେଷ୍ଟବଳ ସୌମ୍ଯରଞ୍ଜନ ଙ୍କ ସର୍ବସାଧାରଣ ରେ ବିଭତ୍ସ ହତ୍ୟାକାଣ୍ଡ ପରେ କଟକର ଏହି ଘଟଣା ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି ଯେ, ଆଇନ ଶୃଙ୍ଖଳା ରକ୍ଷା ଦିଗରେ ଭୁବନେଶ୍ୱର-କଟକ ପୋଲିସ୍ କ’ଣ ଅକ୍ଷମ ?
ସର୍ବସାଧାରଣ ରେ ଏହି ଭଳି କଙ୍ଗାରୁ କୋର୍ଟ କରି ହତ୍ୟାକାଣ୍ଡ ଲାଗି କ’ଣ କିଛି ନୂଆ ଆଇନ ଲାଗୁ ହୋଇପାରିବ ନାହିଁ? ବର୍ତ୍ତମାନ ସୁଦ୍ଧା ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲା ରେ ୨୬ ଜଣଙ୍କୁ ପୋଲିସ୍ ହେପାଜତକୁ ନେବା ସହ ଅନ୍ୟ ଅପରାଧୀ ମାନଙ୍କୁ ସିସିଟିଭି ଫୁଟେଜ ଆଧାରରେ ଖୋଜା ଚାଲିଛି ବୋଲି କଟକର କମିଶନରେଟ୍ ପୋଲିସ୍ ର ଡିସିପି ଶ୍ରୀ ଋଷିକେଶ ଖୂଲାରୀ ପ୍ରକାଶ କରିଛନ୍ତି। ଏହି ଘଟଣା କୁ ନେଇ ଭୁବନେଶ୍ବର-କଟକ ପୋଲିସ୍ କମିଶନର ଶ୍ରୀ ଦେବଦତ୍ତ ସିଂ ୨୪ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଉତ୍ତେଜନାପୂର୍ଣ ସ୍ଥାନରେ ଏଡିସିପି ଶ୍ରୀ ଅମରେନ୍ଦ୍ର ପଣ୍ଡା,ଏସ୍.ପି.ଶ୍ରୀ ରଣଜିତ ପୃଷ୍ଟି,ଏସିପି ସୁଶ୍ରୀ ଅନନ୍ୟା ଅବସ୍ତୀ,ଏସିପି ଶ୍ରୀ ଅଶୋକ କୁମାର ଗିରି,ଏସିପି ଶ୍ରୀ ସୁଧାଂଶୁ ମୋହନ ଜେନା,ଏସିପି ଶ୍ରୀ ଅମିତାଭ ମହାପାତ୍ର, ଲାଲବାଗ ଥାନା ନିରୀକ୍ଷକ ଶ୍ରୀ ଶ୍ରୀ ଭୁତିଆ, ପୁରୀଘାଟ ଥାନା ନିରୀକ୍ଷକ ଶ୍ରୀ ବିଶ୍ବ ରଞ୍ଜନ ନାୟକ ଙ୍କ ସମେତ ବହୁ ଅଧୂକାରୀ ଘଟଣା ସ୍ଥଳରେ ଛାନଭିନ୍ କରିବା ସହ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି। କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ ଦୁଇ ସାହି ମଧ୍ୟରେ ସମାଧାନ ଲାଗି ଉଦ୍ୟମ ଜାରି ରହିଛି।


