
ପୁରୀ(ଜୟକୃଷ୍ଣ ଦାସ): ପବିତ୍ର ରଥଯାତ୍ରା ୨୦୨୬ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ଦେଶ-ବିଦେଶରୁ ଆସୁଥିବା ଅତିଥିମାନଙ୍କର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ପକ୍ଷରୁ ସମଗ୍ର ଜିଲ୍ଲାର ବିଭିନ୍ନ ହୋଟେଲ, ଲଜ୍, ଗେଷ୍ଟହାଉସ ଏବଂ ରହଣି ବ୍ୟବସ୍ଥା ଥିବା ପ୍ରତିଷ୍ଠାନଗୁଡ଼ିକରେ ବ୍ୟାପକ ରାତ୍ରିକାଳୀନ ଯାଞ୍ଚ ଅଭିଯାନ କରାଯାଇଛି।
ଏହି ଅଭିଯାନରେ ପୁରୀ ପୋଲିସର ଥାନା ଅଧିକାରୀମାନଙ୍କ ନେତୃତ୍ୱରେ ବିଭିନ୍ନ ଥାନାର ପୋଲିସ ଅଧିକାରୀ, ସ୍ୱତନ୍ତ୍ର ଟିମ୍ ଏବଂ ସୁରକ୍ଷା ବାହିନୀ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ରାତ୍ରି ସମୟରେ ହଠାତ୍ ଯାଞ୍ଚ ମାଧ୍ୟମରେ ହୋଟେଲଗୁଡ଼ିକରେ ରହୁଥିବା ଅତିଥିମାନଙ୍କର ସୁରକ୍ଷା, ରେଜିଷ୍ଟର ଏବଂ ଡିଜିଟାଲ ରେକର୍ଡର ସଠିକ୍ ସଂରକ୍ଷଣ, ପରିଚୟପତ୍ର ଯାଞ୍ଚ, ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ନଜରଦାରି ଏବଂ ସାମଗ୍ରିକ ଆଇନ-ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଥିଲା।
ଯାଞ୍ଚ ସମୟରେ ହୋଟେଲ କର୍ତ୍ତୃପକ୍ଷଙ୍କୁ ସମସ୍ତ ଅତିଥିଙ୍କର ଠିକି ପରିଚୟପତ୍ର ସଂଗ୍ରହ କରିବା, ଚେକ୍-ଇନ୍ ଏବଂ ଚେକ୍-ଆଉଟ୍ ସମ୍ବନ୍ଧୀୟ ରେକର୍ଡକୁ ସଠିକ୍ ଭାବେ ସଂରକ୍ଷଣ କରିବା, ସନ୍ଦେହଜନକ ବ୍ୟକ୍ତି କିମ୍ବା ଅସ୍ୱାଭାବିକ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ନିକଟସ୍ଥ ଥାନାକୁ ଅବଗତ କରିବା, ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସକ୍ରିୟ ରଖିବା ଏବଂ ସିସିଟିଭି କ୍ୟାମେରା ସବୁବେଳେ କାର୍ଯ୍ୟକ୍ଷମ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହା ସହିତ ହୋଟେଲ ପରିଚାଳକମାନଙ୍କୁ ବିନା ପରିଚୟପତ୍ରରେ କୌଣସି ବ୍ୟକ୍ତିଙ୍କୁ ରହିବାକୁ ଅନୁମତି ନ ଦେବା, ବିଦେଶୀ ନାଗରିକଙ୍କ ସମ୍ବନ୍ଧୀୟ ପ୍ରଚଳିତ ନିୟମାବଳୀକୁ କଡାକଡି ପାଳନ କରିବା ଏବଂ ପୋଲିସ ସହିତ ସର୍ବଦା ସମନ୍ୱୟ ରକ୍ଷା କରିବାକୁ ଅନୁରୋଧ କରାଯାଇଛି।
ପୁରୀ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ରଥଯାତ୍ରା ଅବସରରେ ଆସୁଥିବା ପ୍ରତ୍ୟେକ ଭକ୍ତ, ପର୍ଯ୍ୟଟକ ଓ ଅତିଥିଙ୍କୁ ଏକ ସୁରକ୍ଷିତ, ଶୃଙ୍ଖଳିତ ଓ ନିର୍ଭୟ ପରିବେଶ ପ୍ରଦାନ କରିବା ପାଇଁ ପୁରୀ ପୋଲିସ ୨୪×୭ ସଜାଗ ଏବଂ ସକ୍ରିୟ ରହିଛି। ସହରର ପ୍ରମୁଖ ସ୍ଥାନ, ଧାର୍ମିକ ସ୍ଥଳ, ପାର୍କିଂ ସ୍ଥାନ, ହୋଟେଲ, ବସଷ୍ଟାଣ୍ଡ, ରେଳ ଷ୍ଟେସନ, ସମୁଦ୍ରକୂଳ ଏବଂ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଓ ନଜରଦାରିକୁ ଆହୁରି ସୁଦୃଢ଼ କରାଯାଇଛି।
ପୁରୀ ପୋଲିସ ସମସ୍ତ ହୋଟେଲ ମାଲିକ, ପରିଚାଳକ ଏବଂ ପର୍ଯ୍ୟଟନ ସମ୍ବନ୍ଧୀୟ ପ୍ରତିଷ୍ଠାନମାନଙ୍କୁ ଆଇନଗତ ନିୟମ ପାଳନ କରିବା ସହ ପୋଲିସକୁ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରୁଛି। ସେହିପରି ସମସ୍ତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ମଧ୍ୟ ନିଜର ପରିଚୟପତ୍ର ସାଙ୍ଗରେ ରଖିବା, ସତର୍କ ରହିବା ଏବଂ କୌଣସି ସନ୍ଦେହଜନକ ଘଟଣା କିମ୍ବା ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ଅନୁରୋଧ କରାଯାଉଛି। ପବିତ୍ର ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସଫଳ କରିବା ପାଇଁ ପୁରୀ ପୋଲିସ ସମସ୍ତ ସହଯୋଗୀ ସଂସ୍ଥା, ହୋଟେଲ କର୍ତ୍ତୃପକ୍ଷ, ସ୍ଥାନୀୟ ନାଗରିକ ଓ ଶ୍ରଦ୍ଧାଳୁମାନଙ୍କର ସହଯୋଗ କାମନା କରୁଛି।




