
ବେଆଇନ ନିର୍ମାଣ ଯୋଗୁଁ ଭୁଶୁଡ଼ିଲା ପାଚେରି
ପୁରୀ(ଜୟକୃଷ୍ଣ ଦାସ): ପୁରୀର ଐତିହାସିକ ଓ ଧାର୍ମିକ ଗୁରୁତ୍ୱ ବହନ କରୁଥିବା ଶ୍ୱେତଗଙ୍ଗା ପୋଖରୀ ବର୍ତ୍ତମାନ ଅସୁରକ୍ଷିତ ଅବସ୍ଥାରେ ରହିଛି। ଶ୍ରୀଜଗନ୍ନାଥ ମନ୍ଦିରର ପଞ୍ଚତୀର୍ଥ ମଧ୍ୟରୁ ଏହା ଅନ୍ୟତମ। ଆକାରରେ ସବୁଠାରୁ ଛୋଟ ହୋଇଥିଲେ ମଧ୍ୟ ଏହାର ଧାର୍ମିକ ମହତ୍ତ୍ୱ ଅତ୍ୟନ୍ତ ଅଧିକ। ବିଶ୍ୱାସ ରହିଛି ଯେ, ଏହି ପୋଖରୀ ସହ ଗଙ୍ଗା ନଦୀର ସଂଯୋଗ ଥିବାରୁ ଏହାର ଜଳ କେବେ ଶୁଖି ନଥାଏ। ଏଠାରେ ଅସ୍ଥି ବିସର୍ଜନ କଲେ ଆତ୍ମାର ମୁକ୍ତି ହୁଏ ବୋଲି ଭକ୍ତମାନଙ୍କର ଗଭୀର ଆସ୍ଥା ରହିଛି। ସେହିପରି ଶୁଦ୍ଧିଘର କାର୍ଯ୍ୟ ଓ ପବିତ୍ର ସ୍ନାନ ପାଇଁ ମଧ୍ୟ ଏହି ପୋଖରୀର ବିଶେଷ ଗୁରୁତ୍ୱ ରହିଛି।
ବାଲିସାହି ମୁଖ୍ୟ ରାସ୍ତା କଡ଼ରେ ଥିବା ଏହି ଐତିହ୍ୟସମ୍ପନ୍ନ ପୋଖରୀ ଚାରିପାଖରେ ଅନିୟନ୍ତ୍ରିତ ଓ ବେଆଇନ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଆଜି ପୋଖରୀର ସୁରକ୍ଷା ବିପଦରେ ପଡ଼ିଛି। ପୁରୀ ପୌରପାଳିକା (ମହାନଗର ନିଗମ) ଏବଂ ପି.କେ.ଡି.ଏ. (PKDA) ର କିଛି ଅଧିକାରୀ ମୋଟା ଅଙ୍କର ପିସି କିମ୍ବା ଆର୍ଥିକ କାରବାର କରି ଅସାଧୁ ବ୍ୟକ୍ତିମାନଙ୍କୁ ପୋଖରୀର ଚତୁଃପାର୍ଶ୍ୱରେ ବିରାଟ ବିରାଟ ହୋଟେଲ ଓ ଲଜିଙ୍ଗ ନିର୍ମାଣ କରିବାର ସୁଯୋଗ ଦେଇ ଆସୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ପ୍ରଶାସନର ଏହି କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁଁ ଶ୍ୱେତଗଙ୍ଗାର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି।
ନିକଟରେ ହୋଇଥିବା ସ୍ୱଳ୍ପ ବର୍ଷାରେ ପୋଖରୀର ପଶ୍ଚିମ ପାର୍ଶ୍ୱରେ ଥିବା ଏକ ବଡ଼ ହୋଟେଲର ପାଚେରି ଭୁଶୁଡ଼ି ପଡ଼ିଛି। ଏହାଫଳରେ ପୋଖରୀର ପାହାଚ ମଧ୍ୟ ଭାଙ୍ଗିଯାଇଛି ଏବଂ ପୋଖରୀ ଭିତରକୁ ବ୍ୟାପକ ମାଟି ଅତଡ଼ା ସବୁ ବୋହିଯାଇଛି। ଏହା ଆଗାମୀ ଦିନରେ ପୋଖରୀର ସୁରକ୍ଷା ପ୍ରତି ଏକ ବଡ଼ ସଙ୍କଟ ସୃଷ୍ଟି କରିପାରେ ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା ପ୍ରକାଶ କରିଛନ୍ତି। ପୁରୀ ଜିଲ୍ଲାପାଳ, ପୌର ପ୍ରଶାସନ, ପି.କେ.ଡି.ଏ. ଏବଂ ଓଡ଼ିଶା ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ଏହି ପ୍ରସିଦ୍ଧ ପୋଖରୀଟି ଜମି ମାଫିଆଙ୍କ ହାତକୁ ଚାଲିଯାଉଥିବା ନେଇ ଜନସାଧାରଣରେ ସନ୍ଦେହ ପ୍ରକଟ ହେଉଛି।
ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପୁରୀ ଜିଲ୍ଲା ପ୍ରଶାସନ, ପୌର ସଂସ୍ଥା, ପି.କେ.ଡି.ଏ. ଓ ଓଡ଼ିଶା ସରକାର ତୁରନ୍ତ ହସ୍ତକ୍ଷେପ କରିବା ଜରୁରୀ। ଶ୍ୱେତଗଙ୍ଗା ପୋଖରୀର ସୁରକ୍ଷା, ସଂରକ୍ଷଣ ସହ ଏହି ବେଆଇନ ନିର୍ମାଣ ଅଭିଯୋଗର ଏକ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।




