
ଶ୍ରେଷ୍ଠ ଓ ଶୀର୍ଷ ଓଡ଼ିଆଙ୍କ ସମେତ ନବସୃଜନ ହେବେ ସମ୍ମାନିତ
କଟକ(ସଞ୍ଜୟ ଶତପଥୀ) : ସୁଦୀର୍ଘ ତିନି ଦଶନ୍ଧି ଧରି ରାଜ୍ୟ ଏବଂ ଦେଶର କୃତବିଦ୍ୟା ପ୍ରତିଭାମାନଙ୍କୁ ଗୋଟିଏ ମଞ୍ଚ ରେ ସମ୍ମାନିତ କରି ପ୍ରତିଭା ପୂଜନ କ୍ଷେତ୍ରରେ ଏକ ନିଆରା ପରମ୍ପରା ସୃଷ୍ଟି କରିଥିବା ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଚଳିତବର୍ଷର ୩୦ତମ ରୁଚି ପ୍ରତିଭା ସମ୍ମାନ ସମାରୋହ । ସାନ୍ତାଳୀ ଭାଷାର ବିଶିଷ୍ଟ ଲେଖକ ତଥା ଆଦିବାସୀ ସଂସ୍କୃତିର ବର୍ଷୀୟାନ ଗବେଷକ ପଦ୍ମଶ୍ରୀ ଚରଣ ହେମ୍ବ୍ରମଙ୍କୁ ଚଳିତବର୍ଷ ପ୍ରଦାନ କରାଯିବ ସମ୍ମାନଜନକ ରୁଚି ଦେଶ ଗୌରବ ସମ୍ମାନ । ବିଶିଷ୍ଟ ଶିଳ୍ପଦ୍ୟେ।ଗୀ ତଥା ‘ରୁଚି’ର ପ୍ରତିଷ୍ଠାତାଙ୍କ ସ୍ମୃତିରେ ପ୍ରବର୍ତିତ ପ୍ରଥମ ଡ. ଶରତ କୁମାର ସାହୁ ସ୍ମାରକୀ ସମ୍ମାନ ପ୍ରଦାନ କରାଯିବ ବିଶିଷ୍ଟ ଉଦ୍ୟୋଗପତି ତଥା ସାଂସଦ ଦିଲ୍ଲୀପ ରାୟଙ୍କୁ । ସଂଗୀତ ଗାୟନ କ୍ଷେତ୍ରରେ ଦେଶର ସୁକଣ୍ଠୀ ଗାୟିକା ତଥା ଚଳିତବର୍ଷର ଇଣ୍ଡିଆନ ଆଇଡ଼ଲ ବିଜୟିନୀ ବିଶିଷ୍ଟ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକଙ୍କୁ ପ୍ରଦାନ କରାଯିବ ରୁଚି ଦେଶ ଜ୍ୟୋତି ସମ୍ମାନରେ । ଓଡିଶାରେ ଜୈବିକ କୃଷିର ବିକାଶ ଏବଂ ପରିବେଶର ସୁରକ୍ଷା ପାଇଁ ସମର୍ପିତା ଜନସେବୀ ସାବରମତୀଙ୍କୁ ରୁଚି ସେବା ଜ୍ୟୋତି ସମ୍ମାନ. ବିଶିଷ୍ଟ କ୍ରୀଡାବିତ୍ ତଥା ଭାରତୀୟ ମହିଳା ଦଳର ପାକ୍ତନ ଉପ ଅଧନାୟିକା ଅଲମ୍ପିଆନ ଦୀପ୍ ଗ୍ରେସ୍ ଏକ୍ଜାଙ୍କୁ ପ୍ରଦାନ କରାଯିବ ରୁଚି ବାରବାଟୀ କ୍ରୀଡା ସମ୍ମାନ।ଚଳିତବର୍ଷ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡିଶା ଟପର୍ ହୋଇଥିବା ସାତ୍ୱିକ ସତ୍ୟକାମ ଦେବତାଙ୍କୁ ରୁଚି ବିଦ୍ୟାସାଗର ସମ୍ମାନ ଏବଂ ରାଜ୍ୟର ମାଟ୍ରିକ ଟପ୍ସର୍ ଦୁଇ କୃତିବିଦ୍ୟାର୍ଥୀ ଆଶୁତୋଷ ନାୟକ ଏବଂ ପାର୍ଥସାରଥୀ ମହାନ୍ତଙ୍କୁ ରୁଚି ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ ।
ଏହି ସମାରୋହରେ ଭାରତୀୟ ସେନାବାହିନୀର ପର୍ବତନ ସହ-ସେନାଧ୍ୟକ୍ଷ ତଥା ନୂଆଦିଲ୍ଲୀସ୍ଥିତ ସଶସ୍ତ୍ରବାହିନୀ ନ୍ୟାୟାଧକରଣର ପ୍ରଶାସନିକ ସଦସ୍ୟ ଲେଫ୍ଟନାଂଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ଉଦଘାଟକ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ମୁଖ୍ୟଅତିଥ ଏବଂ ଓଡିଆ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ବିଶିଷ୍ଟ ଅତିଥ ଭାବେ ଯୋଗଦେବା ପାଇଁ ସସ୍କୃତି ପ୍ରଦାନ କରିଛନ୍ତି ।
ରାଜ୍ୟର ଖ୍ୟାତନାମା ଶିକ୍ଷୋଦ୍ୟୋଗ ‘ରୁଚି ଫୁଡ୍ଲାଇନ’ ଦ୍ଵାରା ସଂସ୍ଥାପିତ ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ଆଗାମୀ ସେପ୍ଟେମ୍ବର ୧୨ ତାରିଖ ଦିନ କଟକର ଶହୀଦ ଭବନଠାରେ ସନ୍ଧ୍ୟା ପାଂଚଟାରେ ଆୟୋଜିତ ୩୦ତମ ରୁଚି ପ୍ରତିଭା ସମ୍ମାନ ସମାରୋହରେ ଦେଶର ଏହି ବିଶିଷ୍ଟ ପ୍ରତିଭାବାନ ବ୍ୟକ୍ତିତ୍ଵମାନଙ୍କ ସମ୍ମାନିତ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ରୁଚି ପ୍ରତିଭା ସମ୍ମାନ ଫାଉଣ୍ଡେସନ ସଭାପତି ତଥା ରୁଚି’ର ପରିଚାଳନା ନିର୍ଦେଶକ ଅରବିନ୍ଦ ସାହୁ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ରାଜ୍ୟର ଶିଳ୍ପ ପ୍ରଗତି ଓ ବିକାଶ ପାଇଁ ରୁଚି,ଉଦ୍ୟୋଗ ଦୀର୍ଘ ୫୧ ବର୍ଷ ଧରି କାର୍ଯ୍ୟକରି ଆସୁଥିଲା ବେଳେ ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ରାଜ୍ୟର ମେଧାବୀ ଛାତ୍ରଛାତ୍ରୀ, ଯୁବପ୍ରତିଭା ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରି ନିଜେ ଗୌରବନୀତ ହୋଇଛି। ଏହା ସହିତ ପ୍ରତିଭା ଚୟନ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳ କ୍ଷେତ୍ରରେ ନବସୃଜନ, ଯୁବ ଉଦ୍ୟୋଗୀ, କିଚେନ କୁଇନ୍ ଓ କଳା ଓ ସଂସ୍କୃତି ବର୍ଗରେ ୪ଜଣ ଉଦୀୟମାନ ପ୍ରତିଭାଙ୍କ ଚୟନ କରାଯାଇ ରୁଚି ଦମଦାର ଓଡିଆ ସମ୍ମାନରେ ସମ୍ମାନିତ କରାଯିବା ନେଇ ସେ ଘୋଷଣା କରିଥିଲେ । ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ‘ଆମରୁଚି’ର ସ୍ୱତନ୍ତ୍ର ପ୍ରତିଭା ବିଶେଷାଙ୍କ ମଧ୍ୟ ଉନ୍ମୋଚିତ ହେବ ।
ଆୟୋଜିତ ଏହି ସମାରୋହରେ ବିଶିଷ୍ଟ ପ୍ରତିଭାମାନଙ୍କୁ ଅଙ୍ଗବସ୍ତ୍ର ଓ ସମ୍ମାନଫଳକ ପ୍ରଦାନ ସହିତ ସମ୍ମାନିତ କରାଯିବ ଏବଂ ଏହାସହିତ କୃତୀ ବିଦ୍ୟାର୍ଥୀଙ୍କୁ ଅର୍ଥରାଶି ପୁରସ୍କାର ସହ ସମ୍ମାନିତ କରାଯିବ ।
ସାମ୍ବାଦିକ ସମ୍ମିଳନୀରେ ‘ରୁଚି’ର ଅଧକ୍ଷା ଶ୍ରୀମତୀ ସଙ୍ଗୀତା ସାହୁ, ନିର୍ଦ୍ଦେଶିକା ସଲିନା ସାହୁ, ନିର୍ଦ୍ଦେଶିକା ରଶ୍ମୀ ସାହୁ ଓ ମୁଖ୍ୟମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ରୁଚି ପ୍ରତିଭା ଫାଉଣ୍ଡେସନର ସଂପାଦକ ଶୁଭେନ୍ଦୁ କୁମାର ଭୂୟାଁ ଚଳିତବର୍ଷର କୃତି ପ୍ରତିଭାମାନଙ୍କ ସହିତ ଅନୁଷ୍ଠାନର ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ରୁଚିର ମାର୍କେଟିଂ ବିଭାଗର ମୁଖ୍ୟ ଦେବଦତ୍ତ ସା, ରାଜେଶ କୁମାର ସାହୁ ଓ ‘ହ୍ଵାଇଟ୍ କାନଭାସ୍’ର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।




