ଲକ୍ଷାଧିକ ଭକ୍ତଙ୍କ ଜୟଧ୍ୱନିରେ ଇମାମି ନଗରରେ ଶେଷ ହେଲା ବାହୁଡ଼ା ଯାତ୍ରା….

ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି)୨୪/୭: ଶ୍ରଦ୍ଧା ଓ ଭକ୍ତିର ଅପୂର୍ବ ମିଳନ ମଧ୍ୟରେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ବାଲଗୋପାଳପୁର ଶିଳ୍ପାଞ୍ଚଳର ଇମାମି ନଗରେ ଶୁକ୍ରବାର ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲକ୍ଷାଧିକ ଭକ୍ତଙ୍କ ଉପସ୍ଥିତିରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ରଥ ଭକ୍ତିର ଦଉଡ଼ିରେ ଟଣା ହୋଇ ଶ୍ରୀମନ୍ଦିର ଅଭିମୁଖେ ଗତି କରିଥିଲା।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ଆଜ୍ଞାମାଳ ଅର୍ପଣ ହୋଇଥିଲା। ପରେ ମଙ୍ଗଳାର୍ପଣ, ଧାଡ଼ି ପହଣ୍ଡି, ଟାହିଆ ଲାଗି ଓ ଅନ୍ୟାନ୍ୟ ଶାସ୍ତ୍ରୋକ୍ତ ନୀତି ସମ୍ପନ୍ନ ହୋଇଥିଲା। ଇମାମି ପେପର ମିଲ୍ସର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଖେତାନ ପାରମ୍ପରିକ ଛେରା ପହଁରା କରି ରଥ ପରିଷ୍କାର କରିଥିଲେ।

ସନ୍ଧ୍ୟାରେ ଭକ୍ତମାନଙ୍କ ଉତ୍ସାହ ଶିଖରରେ ପହଞ୍ଚିଥିଲା। ରାତି ୯ଟାରେ ଅଧରପଣା ନୀତି ଶେଷ ହେବା ପରେ ପୌରାଣିକ ପରମ୍ପରା ଅନୁଯାୟୀ ମା ଲକ୍ଷ୍ମୀଙ୍କ ଅଭିମାନକୁ ନେଇ ଲକ୍ଷ୍ମୀ ନାରାୟଣ କଳହ ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ ଲାଗି କରାଯାଇ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ରାତି ୧୦ଟାରେ ନୀଳାଦ୍ରି ବିଜେ ନୀତି ସହ ଏବର୍ଷର ରଥଯାତ୍ରାର ଶୁଭ ସମାପନ ଘୋଷଣା କରାଯାଇଥିଲା।

ମନ୍ଦିର ପ୍ରଶାସନର ମୁଖ୍ୟ ପୁରୋଧା ଶ୍ରୀ ସୁଶୀଲ ଗୋଏଙ୍କାଙ୍କ ତତ୍ତ୍ୱାବଧାନରେ ଏବଂ ଇମାମି ପେପର ମିଲ୍ସ ଲେଡିଜ୍ କ୍ଲବ୍ ଓ ରଥଯାତ୍ରା କମିଟିର ସହଯୋଗରେ ସମଗ୍ର ଉତ୍ସବ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା। କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉତ୍ସବ ପରିଚାଳନାରେ ସକ୍ରିୟ ଭୂମିକା ନିଭାଇଥିଲେ।

ଏହି ଅବସରରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପଜିଲ୍ଲାପାଳ ଶ୍ରୀ ମାଲବିୟା, ନୀଳଗିରି ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ, ରେମୁଣା ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ଡ଼ା. ଲେଖାଶ୍ରୀ ସମନ୍ତ ସିଂହାର, ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ୍ତ ପଣ୍ଡା ଓ ଶ୍ରମିକ ନେତା ଶ୍ରୀ ଶୁଭେନ୍ଦୁ ମଙ୍ଗରାଜ ପ୍ରମୁଖ ଯୋଗଦେଇ ଦର୍ଶନ କରିଥିଲେ।

ଉତ୍ସବକୁ ସଫଳ କରିବା ପାଇଁ ସହଯୋଗ କରିଥିବା ସମସ୍ତଙ୍କୁ ଇମାମି ପେପର ମିଲ୍ସର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ପାଢ଼ୀ ଧନ୍ୟବାଦ ଜଣାଇଥିଲେ। କମ୍ପାନୀ ପକ୍ଷରୁ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ବଣ୍ଟନ ଓ ମାଗଣା ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ନଅ ଦିନ ଧରି ଚାଲିଥିବା ଏହି ରଥଯାତ୍ରା ଉତ୍ସବରେ ପ୍ରତିଦିନ ସନ୍ଧ୍ୟାରେ ବୃନ୍ଦାବନର ପ୍ରସିଦ୍ଧ କଳାକାରମାନଙ୍କ ଦ୍ୱାରା ରାସଲୀଳା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଆନନ୍ଦ ପ୍ରଦାନ କରିଥିଲା।

ସେୟାର କରନ୍ତୁ

Next Post

ବାଲେଶ୍ୱରରେ ଜଳବନ୍ଦୀ ସମସ୍ୟା ଦୂରୀକରଣ ଦିଗରେ ବଡ଼ ପଦକ୍ଷେପ...

Sat Jul 25 , 2026
ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି): ବର୍ଷା ଋତୁରେ ବାଲେଶ୍ୱର ସହରର ଦୀର୍ଘଦିନର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାୟ ସାଢେ ଆଠ କୋଟି ଟଙ୍କା ବ୍ୟୟ ଅଟକଳରେ ସହରର ବିଭିନ୍ନ ଜଳବନ୍ଦୀପ୍ରବଣ ଅଞ୍ଚଳରେ ୧୫ଟି ନୂତନ ଡ୍ରେନ୍, କଲଭର୍ଟ ଓ ସମ୍ପୃକ୍ତ ଡ୍ରେନେଜ୍ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ବାଲେଶ୍ୱର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶିଳାନ୍ୟାସ ଉତ୍ସବରେ ସଦର ବିଧାୟକ ମାନସ କୁମାର […]

You May Like

Pin It on Pinterest