ସିଏମ୍ କିଷାନ ଯୋଜନାର ୫ମ କିସ୍ତି ପ୍ରଦାନ, କେନ୍ଦ୍ରାପଡ଼ା ଜିଲ୍ଲାରେ ୩୫ କୋଟିରୁ ଅଧିକ ଟଙ୍କାର ସହାୟତା…

କେନ୍ଦ୍ରାପଡ଼ା(ଚତୁର୍ଭୁଜ ଦାଶ):୪/୦୯-ରାଜ୍ୟର ଚାଷୀଙ୍କ ଆର୍ଥିକ ସଶକ୍ତିକରଣ ଓ କୃଷି କ୍ଷେତ୍ରର ବିକାଶକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସିଏମ୍ କିଷାନ ଯୋଜନାର ରବି ଋତୁ ପାଇଁ ୫ମ କିସ୍ତି ପ୍ରଦାନ କରାଯାଇଛି। ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ୱ ଖୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକଙ୍କୁ ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି।
ଓୟୁଏଟିର କୃଷି ଶିକ୍ଷା ସଦନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନ ଯୋଜନାର ୫ମ କିସ୍ତି ପ୍ରଦାନ କରିଥିଲେ।
ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମହାକାଳପଡ଼ାର ମାନ୍ୟବର ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀଙ୍କ କଲ୍ୟାଣ ଓ କୃଷିର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ନେବାକୁ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ହେମନ୍ତ କୁମାର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀମତୀ ଯାମିନୀ ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ପ୍ରଭଞ୍ଜନ ମିଶ୍ର ଏବଂ ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି ଶ୍ରୀ ଦେବଦାସ ଦତ୍ତ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ଅଧିକାରୀମାନେ କୃଷକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, କୃଷି କ୍ଷେତ୍ରରେ ବିଭାଗୀୟ ପଦକ୍ଷେପ ଓ ସଫଳତା ସମ୍ପର୍କରେ ଅବଗତ କରାଇବା ସହ ଚାଷୀମାନେ ଏହାର ସୁବିଧା ନେଇ ନିଜ ଆୟ ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲାରେ ସିଏମ୍ କିଷାନ ଯୋଜନାର ୫ମ କିସ୍ତି ବାବଦରେ ୩୩୩ ଜଣ ଭୂମିହୀନ ଚାଷୀ ଏବଂ ୧,୭୦,୪୯୪ ଜଣ ଖୁଦ୍ର ଓ ନାମମାତ୍ର ଚାଷୀ, ମୋଟ ୧,୭୦,୮୨୭ ଜଣ ଚାଷୀଙ୍କୁ ୩୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଥିଲେ।
ଯୋଜନା ଅନୁଯାୟୀ, ପ୍ରତ୍ୟେକ ଭୂମିହୀନ ଚାଷୀଙ୍କୁ ୫,୦୦୦ ଟଙ୍କା ଏବଂ ଖୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାର ୯ଟି ବ୍ଲକରୁ ୧୭୦ ଜଣ ଚାଷୀଙ୍କ ସମେତ ବିଭାଗୀୟ କର୍ମଚାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂହ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।

ସେୟାର କରନ୍ତୁ

Next Post

ଗୁରୁଦିବସରେ ଗୁରୁଜନଙ୍କୁ ସମ୍ମାନ...

Sat Sep 5 , 2026
ଆନନ୍ଦପୁର(ବାସ୍ତବ କଥା):ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପବିତ୍ର ଗୁରୁଦିବସ ଶ୍ରଦ୍ଧା, ସମ୍ମାନ ଓ ଉତ୍ସାହର ସହ ପାଳିତ ହୋଇଯାଇଛି l ବ୍ଲକ ଶିକ୍ଷାଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆନନ୍ଦପୁର ବ୍ଲକ ଉନ୍ନୟନ ଅଧିକାରୀ ମନୋଜ କୁମାର ମହାନ୍ତ, ତହସିଲଦାର ପଲ୍ଲବୀ ପ୍ରିୟଦର୍ଶିନୀ, ଆନନ୍ଦପୁର ଉପଖଣ୍ଡର ସୂଚନା ଓ ଲୋକସମ୍ପର୍କ ବିଭାଗର […]

You May Like

Pin It on Pinterest