
ରାୟଗଡ଼ା/କଲ୍ୟାଣସିଂହପୁର(ରତ୍ନାଲୁ ପ୍ରଭାକର) :-୨/୯ କୋଲନରା ବ୍ଲକ ଅନୁର୍ଗତ ରିଭଲକଣା ସରକାରୀ ଏସଏସଡି ହାଇସ୍କୁଲରେ ଘଟିଥିବ ଅଭାବନୀୟ ଛାତ୍ର ମାଡ ମରା ଘଟଣାର ଆଜି ଅନୁଧ୍ୟାନ କରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ଯକ୍ଷା ବବିତା ପାତ୍ର।
ପ୍ରକାଶ ଥାଉକି, ଗତ ଅଗଷ୍ଟ ୩ ତାରିଖରେ ଉକ୍ତ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ର ହଷ୍ଟେଲରେ ରହୁଥିବା ଅଷ୍ଟମ ଓ ନବମ ଶ୍ରେଣୀର ପ୍ରାୟ ୩୦ ଜଣ ଛାତ୍ରଙ୍କୁ ନଡ଼ିଆ ବାହୁଙ୍ଗାରେ ନିର୍ଦୁମ ପିଟିଥିଲା। ଏହିଁ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି ଅଧ୍ଯକ୍ଷା ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି।
ସ୍କୁଲର ସ୍ଥିତି ଅନୁଧ୍ୟାନ କରିବା ପରେ ନିଜ ପ୍ରତିକ୍ରିୟାରେ ଅଧ୍ଯକ୍ଷା ଶ୍ରୀମତୀ ପାତ୍ର କହିଛନ୍ତି ଯେ, ଏହି ଘଟଣାରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ହଷ୍ଟେଲରୁ ବାହାର କରିଦିଆଯାଇଛି।
ସ୍କୁଲର ଶିକ୍ଷକମାନଙ୍କୁ ଏଭଳି ଘଟଣାର ଯେପରି ପୁନରାବୃତ୍ତ ନଘଟେ ସେନେଇ ସ୍ବତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲରେ ପିଲାଙ୍କ ଖାଦ୍ୟପେୟ ଏବଂ ଶୋଇବା ବ୍ୟବସ୍ଥା ଠିକ୍ ଥୂବାବେ ବେଳେ ସିସିଟିଭି କ୍ୟାମେରା ଅଚଳ ଥୂବା ଦେଖୁବାକୁ ମିଳିଥିଲା । ତେଣୁ ତୁରନ୍ତି ନୂତନ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଛୋଟ ପିଲାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅପରାଧୂକ ପ୍ରବଣତାକୁ ରୋକିବା ଉପରେ ସରକାର ଗୁରୁତ୍ବ ଦେଉଥିବା ସେ ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟର ପ୍ରତ୍ୟେକ ହଷ୍ଟେଲରେ ଜଣେ ଲେଖାଏଁ ‘କାଉନସେଲର’ ନିଯୁକ୍ତି ଦେବାକୁ ଯୋଜନା କରାଯାଇଛି। ସେମାନେ ପିଲାମାନଙ୍କ ମାନସିକ ସ୍ଥିତିକୁ ବୁଝି ସେମାନଙ୍କୁ ଗଢ଼ି ତୋଳିବା ଦିଗରେ କାର୍ଯ୍ୟ କରିବେ ବୋଲି ଅଧ୍ଯକ୍ଷା ସୂଚନା ଦେଇଛନ୍ତି।
ଏଥିସହ ହଷ୍ଟେଲଗୁଡ଼ିକରେ ମ୍ୟାଲେରିଆ ନିରାକରଣ ପାଇଁ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା, ଉନ୍ନତ ମାନର ମଶାରି ଯୋଗାଇଦେବା ଏବଂ ପ୍ରାଥମିକ ଚିକିତ୍ସା ତଥା ଔଷଧର ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି।
ରାଜ୍ୟରେ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ଓ ‘ବିକଶିତ ଓଡ଼ିଶା’ର ସ୍ବପ୍ନ ସାକାର କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ବାବଦରେ ସେ କହିଛନ୍ତି ଯେ, ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରାଯାଉଛି। ଉପମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ଘୋଷଣା ଅନୁଯାୟୀ, ଯେଉଁ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ବ କୋଠା ନାହିଁ, ସେଠାରେ ଜାଗା ଚିହ୍ନଟ କରାଯାଇ ନୂତନ ଘର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉଛି।
ଆବଶ୍ୟକସ୍ଥଳେ ଅଧୂକ ୬ ଲକ୍ଷ ଟଙ୍କା ମଧ୍ଯ ଯୋଗାଇ ଦିଆଯିବ। ପ୍ରତ୍ୟେକ କେନ୍ଦ୍ରରେ ପାଚେରି, ସ୍ବତନ୍ତ୍ର ଶୌଚାଳୟ, ରୋଷେଇ ଘର, ପିଇବା ପାଣି ଏବଂ ପିଲାଙ୍କ ଖେଳିବ ପାଇଁ ସ୍ଥାନ ରହିବ। ‘ସକ୍ଷମ ଅଙ୍ଗନୱାଡ଼ି’ କେନ୍ଦ୍ରଗୁଡ଼ିକରେ ଏଲଇଡି ଲଗାଯିବାର ମଧ୍ୟ ବ୍ୟବସ୍ଥା ହେଉଛି। ଏହାଛଡ଼ା ‘ଅଦ୍ରିକା’ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କୁ ସ୍ବଚ୍ଛତା, ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ ଶିକ୍ଷା ଦିଆଯାଉଛି।
ପରିଶେଷରେ ଅଧ୍ଯକ୍ଷା ଶ୍ରୀମତୀ ପାତ୍ର କହିଛନ୍ତି ଯେ, ସ୍କୁଲ ଓ ହଷ୍ଟେଲଗୁଡ଼ିକରେ ଥିବା କର୍ମଚାରୀ ଅଭାବ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟାର ସମାଧାନ ପାଇଁ ସେ ଜିଲ୍ଲାପାଳ, ପିଡି ଏବଂ ପିଏ ଆଇଟିଡିଏଙ୍କ ସହିତ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନ କରିବେ। ଜିଲ୍ଲା ସ୍ତରରେ ଯାହା ସମସ୍ୟା ଅଛି ତାର ସମାଧାନ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାରଙ୍କୁ ମଧ୍ଯ ପ୍ରସ୍ତାବ ପଠାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଗସ୍ଥ ବେଳେ ତାଙ୍କ ସହିତ ଏସଡିସି ଅଧ୍ଯକ୍ଷା ମଞ୍ଜୁଳା ମିଣିଆକା, ବରିଷ୍ଠ ବିଜେପି ନେତା ଶିବ ଶଙ୍କର ଉଲାକା, ଅନିଲ ଜାଡି, ଜିଲ୍ଲା ମଙ୍ଗଳ ଅଧୂକାରୀ ଅସୀମା ରାଓଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।



