
କାକଟପୁର(ମାନସ ସାମଲ): ୧୭/୯-ଦହିବରା ଖାଇ ୬୦ରୁ ଅଧିକ ପିଲା ଓ ବଡ଼ ଅସୁସ୍ଥ ହୋଇପଡ଼ିଥିବା ଘଟଣାକୁ ନେଇ କାକଟପୁର ବ୍ଲକ ବାଙ୍ଗୁରିଗାଁ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି।
ଗତକାଲି ଜଣେ ବୁଲା ଦହିବରା ବିକାଳି ବିଭିନ୍ନ ଗାଁ ବୁଲି ଦହିବରା ବିକ୍ରି କରିଥିଲେ। ବାଙ୍ଗୁରିଗାଁ ପଞ୍ଚାୟତ ଅନ୍ତର୍ଗତ ଅନେକ ଗାଁର ଛୋଟ ପିଲା ଓ ବଡ଼ ଲୋକ ଏହା ଖାଇଥିଲେ।ଦହିବରା ଖାଇବାର କିଛି ଘଣ୍ଟା ପରେ ଅନେକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ଝାଡ଼ା, ବାନ୍ତି, ମୁଣ୍ଡ ବୁଲାଇବା ଓ ପେଟ କାଟିବା ଭଳି ସମସ୍ୟା ଦେଖାଦେଇଥିଲା। ପ୍ରାଥମିକ ଭାବେ ଔଷଧ ଖାଇଥିଲେ ମଧ୍ୟ ସୁଧାର ନଆସିବାରୁ ଆଜି ସକାଳୁ ବାଙ୍ଗୁରିଗାଁ ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ ବଢ଼ିଥିଲା।ପରିସ୍ଥିତିକୁ ଦୃଷ୍ଟିରେ ରଖି ଡାକ୍ତରଖାନା ପକ୍ଷରୁ ଜରୁରୀକାଳୀନ ଭିତ୍ତିରେ ଆକ୍ରାନ୍ତମାନଙ୍କୁ ଚିକିତ୍ସା ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା।
ଡାକ୍ତର ସମର୍ଜିତ୍ ମଲିକଙ୍କ ସୂଚନା ଅନୁଯାୟୀ, ସମସ୍ତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଇଛି ଏବଂ ବର୍ତ୍ତମାନ ଅଧିକାଂଶ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କୌଣସି ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ବାହାରକୁ ସ୍ଥାନାନ୍ତର କରାଯାଇନଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଦହିବରା ବିକାଳି ବାପି ଦାସ ମଧ୍ୟ ଏହି ଘଟଣା ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରାୟ ୧୦ରୁ ୧୨ ବର୍ଷ ହେବ ସେ ସାଇକେଲରେ ବିଭିନ୍ନ ଗାଁ ବୁଲି ଦହିବରା ବିକ୍ରି କରୁଛନ୍ତି। ପୂର୍ବରୁ ଏଭଳି କୌଣସି ଅଭିଯୋଗ କିମ୍ବା ଘଟଣା ଘଟିନଥିବା ସେ କହିଛନ୍ତି। ତେବେ ଆଜିର ଘଟଣାରେ ସେ ମର୍ମାହତ ବୋଲି କହିବା ସହ ବିକ୍ରି ପାଇଁ ପ୍ରସ୍ତୁତ କରିଥିବା ଦହିବରାକୁ କେନାଳରେ ଫିଙ୍ଗି ଦେଇଛନ୍ତି।
ଏହି ଘଟଣାର ପ୍ରକୃତ କାରଣ କଣ, ଦହିବରାରେ କୌଣସି ଖାଦ୍ୟଜନିତ ସମସ୍ୟା ଥିଲା କି ନାହିଁ, ତାହା ସମ୍ପର୍କିତ ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ। ବର୍ତ୍ତମାନ ଚିକିତ୍ସା ପରେ ଅଧିକାଂଶ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଥିବା ସୂଚନା ମିଳିଛି।



