
ଭୁବନେଶ୍ୱର(ପ୍ରଶାନ୍ତପାଇକରାୟ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୬’ର ଆଜି ଥିଲା ଉଦ୍ଯାପନୀ ସଂଧ୍ୟା ।
ଉଦ୍ଯାପନୀ ସଂଧ୍ୟାର ପ୍ରଥମ ଗାୟକ ଥିଲେ ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ଗୁରୁ ପ୍ରଫେସର ରାମହରି ଦାସ, ସେ ପରିବେଷଣ କରିଥିଲେ ଚନ୍ଦନ ହଜୁରି ରଚନାରୁ ଚନ୍ଦନ ଲାଗି ସମୟେ ଚିନ୍ତା ଚିନ୍ତାମଣୀକି ଓ ଭୀମ ଭୋଇଙ୍କ ରଚିତ ଶ୍ୟାମଳ ରୂପ ବନାଉ ସୁନ୍ଦର । ପରେ ପରେ ମିନାକ୍ଷୀ ରଥ ଅଭିରାମ ପରମହଂସଙ୍କ ରଚିତ ଶ୍ୟାମ ପ୍ରେମ ବଡ ମିଠା ଓ ରାମକୃଷ୍ଣ ନନ୍ଦଙ୍କ ରଚିତ ଦୟାକର ଦୀନବନ୍ଧୁ ଗାୟନ କରିଥିଲେ ।
ପରବର୍ତ୍ତୀ ଗାୟକ ଥିଲେ ସୁଶାନ୍ତ କୁମାର ପଣ୍ଡା, ସେ ପରିବେଷଣ କରିଥିଲେ ଦୀନକୃଷ୍ଣ ଦାସଙ୍କ ରଚିତ ଜୟ ଜଗବନ୍ଧୁ ହେ ଯଦୁନନ୍ଦନ ଓ ଗୌରଚରଣଙ୍କ ରଚିତ ମହାବାହୁ ଅଖୀଳ ଜଗତନାଥ । ପରବର୍ତ୍ତୀ କଣ୍ଠଶିଳ୍ପୀ ଥିଲେ ପ୍ରଜ୍ଞା ହୋତା, ସେ ଦୟାକର ଦୀନବନ୍ଧୁ ଓ ଆହେ ନୀଳଗିରି ଗାୟନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପରେ ପରେ କରୁଣାକର ସେଠୀ ଗାୟନ କରିଥିଲେ ମେଘ ମାଳ କୁ ନିନ୍ଦେ କଳାକୁ ଓ ନୀଳଚକ୍ରେ ହୋ ଦେଖ ଉଡୁଛି ବାନା ।
ତାଙ୍କ ପରେ ଶ୍ରଦ୍ଧାଞ୍ଜଳୀ ସାହୁ ଚାଲ ସଖୀ ଆମେ ଦର୍ଶନ କରିବା ଓ ଦୁଃଖନାଶନହେ ଗାୟନ କରିଥିଲେ । ପରବର୍ତ୍ତୀ ଗାୟକ ଥିଲେ ଅଜୟ କୁମାର ଶତପଥୀ, ସେ ହେ ମଣିମା ଶୁଣିମା ମୋ ଦୁଃଖ ବାରେ ଓ ସବୁଥିରୁ ବଞ୍ଚିତ କରି ପରିବେଷଣ କରିଥିଲେ । ପରେ ପରେ ସୌମ୍ୟା ସମାପ୍ତା ମିଶ୍ର ମଣୀ ବିମାନେ ଗୋବିନ୍ଦ ଓ କାଳିଆ କାହ୍ନୁ ଆଉ ବିଳମ୍ବ ଗାୟନ କରିଥିଲେ । ଶେଷରେ ଅସିତ କୁମାର ନନ୍ଦ ତୁମ୍ଭ ଶ୍ରୀଭୂଜେ ଦୟାଣା ଓ ମୋତେ ସେହି ରୂପ ଦେଖା ହରି ଗାୟନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ।
ସମସ୍ତ କଣ୍ଠଶିଳ୍ପୀ ଜଗନ୍ନାଥଙ୍କ ଉପରେ ସଙ୍ଗୀତ ପରିବେଷଣ କରି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । ସେମାନଙ୍କୁ ତବଲାରେ ଜଗନ୍ନାଥ ଦାସ, ଢୋଲକରେ ସୁରେଶ କୁମାର ଦଳେଇ, ବଂଶୀରେ ଅଭିରାମ ନନ୍ଦ, ଅକ୍ଟୋପ୍ୟାଡ଼ରେ ଘନଶ୍ୟାମ ପୃଷ୍ଟି, କିବୋର୍ଡ଼ରେ ଜଗନ୍ନାଥ ମହାନ୍ତି ଏବଂ ହାରମୋନିୟମରେ ବଟକୃଷ୍ଣ ଦାସ ସହଯୋଗ କରିଥିଲେ ।
ଉଦ୍ଯାପନୀ ସଂଧ୍ୟାରେ ଅତିଥିମାନେ ଥିଲେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ; ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ବିଶିଷ୍ଟ ଗୁରୁ, କଣ୍ଠଶିଳ୍ପୀ, ଗବେଷକ ଏବଂ ସଙ୍ଗୀତ ସଂରଚୟିତା ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶିକା ଶ୍ରୀମତୀ ଦେବଯାନୀ ଭୂୟାଁ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ପ୍ରଭୁ ଜଗନ୍ନାଥଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।
କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡ଼କ୍ଟର ଶ୍ରୀନିବାସ ଘଟୁଆରୀ ଓ ଶ୍ରୀ ମୋହନ ମାଜିଠିଆ ।ଗୁହାରି ୨୦୨୬ର ସଫଳ ସମାପନ ଓଡ଼ିଶାର ସମୃଦ୍ଧ ଭକ୍ତିମୟ ସଙ୍ଗୀତ ପରମ୍ପରା ଏବଂ ପ୍ରଭୁ ଜଗନ୍ନାଥଙ୍କର ଚିରସ୍ଥାୟୀ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ଓ ପ୍ରୋତ୍ସାହନ ଦେବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସର ସଫଳ ପରିଣତିକୁ ଚିହ୍ନିତ କଲା ।



