୨୦୧୯ ପରେ ଚଳିତ ବର୍ଷ ଇନ୍ଦ୍ରାବତୀ ଜଳ ଭଣ୍ଡାର ଫାଟକ ଖୋଲିବା ସମ୍ଭାବନା

ତେନ୍ତୁଳିଖୁଣ୍ଟି(ଖଗେଶ୍ୱର ମହାକୁଡ):୨୭/୮ ଇନ୍ଦ୍ରାବତୀ ଜଳଭଣ୍ଡାର ଜଳସ୍ତର ବଢିବାରେ ଲାଗିଛି। ଆଜି ସନ୍ଧ୍ୟା ୬.୩୦ଘଟିକା ସୁଦ୍ଧା ଜଳପତ୍ତନ ୬୩୮.୮୯ ମିଟର ରେ ପହଞ୍ଚିଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨.୫୦ ମିଟର ହୋଇଥିବାରୁ ଜଳ ଭଣ୍ଡାର ଫାଟକ ଖୋଲିବା ସମ୍ଭାବନା ବର୍ତ୍ତମାନ ସମୟରେ ସମ୍ଭବ ନୁହେଁ ବୋଲି ପୋଡ଼ାଗଡ ବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ସୁଶାନ୍ତ କୁମାର ପଟ୍ଟନାୟକ ସୁଚନା ଦେଇଛନ୍ତି।

୨୦୧୯ ମସିହା ଅଗଷ୍ଟ ୧୬ ତାରିଖରେ ତତ୍କାଳୀନ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଓ ତତ୍କାଳୀନ ମୂଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ସାମନ୍ତ ଶେଖର ଧଳ ଙ୍କ ଉପସ୍ଥିତିରେ ଇନ୍ଦ୍ରାବତୀ ଜଳଭଣ୍ଡାରର ୭ ଟି ଫାଟକ ମଧ୍ୟରୁ ୨ ଟି ଫାଟକ ଅଧ ମିଟର ଲେଖାଏଁ ୨ ଦିନ ପାଇଁ ଖୋଲା ଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଜଳଭଣ୍ଡାର ପୂର୍ଣ୍ଣ ହେଉନଥିବାରୁ ଆଜି ପର୍ଯ୍ୟନ୍ତ ଫାଟକ ଖୋଲିବାର ଆବଶ୍ୟକତା ପଡ଼ିନାହିଁ। ଚଳିତବର୍ଷ ୯ ମ ଲଘୁଚାପ ଯଦି ସକ୍ରିୟ ରହି ଅବବାହିକା ଅଞ୍ଚଳରେ ବ୍ୟାପକ ବର୍ଷା ହେଲେହିଁ ଜଳସ୍ତର ୬୪୦ ମିଟର ଅତିକ୍ରମ କରିବାପରେ ଫାଟକ ଖୋଲିବା ସଂପର୍କରେ ଜୟପୁରରେ ଅବସ୍ଥାପିତ ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ଇଂ ବେଦାମ୍ବର ବେହେରା, କୋରାପୁଟ ଜିଲ୍ଲାପାଳ , ଛତିଶଗଡ ରାଜ୍ୟର ବସ୍ତର ଜିଲ୍ଲାପାଳ ଓ ନବରଙ୍ଗପୁର ଜିଲ୍ଲାପାଳ ଓ ପ୍ରଶାସନ ସମେତ ଭୁବନେଶ୍ବର ସ୍ଥିତ ନିୟନ୍ତ୍ରଣ କେନ୍ଦ୍ର ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ଇଂ ପଟନାୟକ ସୁଚନା ଦେଇଛନ୍ତି।

ବୃହତ ଇନ୍ଦ୍ରାବତୀ ପ୍ରକଳ୍ପ ମୁଖିଗୁଡ଼ା ସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଉତ୍ପାଦନ ଜାରି ରହିଛି। ଗତ କାଲି ୨୪୪୨ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇଥିବାବେଳେ ଆଜି ୨୪୫୬ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇଥିବା ବିଭାଗୀୟ ଯନ୍ତ୍ରୀ ଇଂ ଏସ.ଚିଦାନନ୍ଦ ସୁଚନା ଦେଇଛନ୍ତି।

ସେୟାର କରନ୍ତୁ

You May Like

Pin It on Pinterest