
- ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ପାଇଁ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ
•କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଓ ‘ପାରିଜାତ’ ବିହନ. ଯୋଗାଣ ଦାବି
ବାଲେଶ୍ୱର୨୪/୮(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତିର ସମୀକ୍ଷା ଏବଂ ସ୍ଥାୟୀ ପ୍ରତିକାର ପାଇଁ ପଞ୍ଚାୟତିରାଜ, ଗ୍ରାମୀଣ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଜିଲ୍ଲା ଗସ୍ତ ଅବସରରେ ବସ୍ତା ବିଧାୟିକା ସୁବାସିନୀ ଜେନା ଭୋଗରାଇ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବସ୍ତା ଓ ବାଲିଆପାଳ ଅଞ୍ଚଳର ବନ୍ୟା ଏବଂ କୃତ୍ରିମ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।
ବିଧାୟିକା ଜେନା ମନ୍ତ୍ରୀଙ୍କୁ ଏକ ବିସ୍ତୃତ ସ୍ମାରକପତ୍ର ପ୍ରଦାନ କରି ତତ୍କାଳ ଓ ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ପ୍ରତିବର୍ଷ ବର୍ଷା ଋତୁରେ ସୁବର୍ଣ୍ଣରେଖା, ଜଳକା ଓ ପଳପଳା ନଦୀ ସମେତ ବିଭିନ୍ନ ଶାଖାନାଳର ଜଳସ୍ତର ବୃଦ୍ଧି ଏବଂ ଉପଯୁକ୍ତ ଜଳନିଷ୍କାସନ ବ୍ୟବସ୍ଥାର ଅଭାବ ଯୋଗୁଁ ବସ୍ତା ଓ ବାଲିଆପାଳ ବ୍ଲକ୍ର ବ୍ୟାପକ ଅଞ୍ଚଳ ଜଳମଗ୍ନ ହେଉଛି। ଏହା ଫଳରେ ହଜାର ହଜାର ଏକର ଫସଲ ନଷ୍ଟ ହେବା ସହ ଜନଜୀବନ ଓ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହେଉଛି।
ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜଳସମ୍ପଦ, ଗ୍ରାମୀଣ ଉନ୍ନୟନ, ପଞ୍ଚାୟତିରାଜ, ରାଜସ୍ୱ ଓ କୃଷି ବିଭାଗର ସମନ୍ୱୟରେ ଏକ ବିଶେଷଜ୍ଞ ଟିମ୍ ଗଠନ କରି ସମଗ୍ର ଅଞ୍ଚଳ ପାଇଁ ବନ୍ୟା ନିୟନ୍ତ୍ରଣ ଓ ଜଳନିଷ୍କାସନର ଏକ ସମନ୍ୱିତ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ସେ ଦାବି କରିଛନ୍ତି। ଏଥିସହ ପ୍ରମୁଖ ନଦୀ, ଶାଖାନାଳ ଓ ନାଳଗୁଡ଼ିକର ପୁନରୁଦ୍ଧାର, ନୂତନ ଜଳନିଷ୍କାସନ ପଥ ସୃଷ୍ଟି ସହ ଆବଶ୍ୟକ ପୋଲ ଓ କଲଭର୍ଟ ନିର୍ମାଣକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି।
ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ୟାକୁ ମଧ୍ୟ ବିଧାୟିକା ଗୁରୁତ୍ୱ ଦେଇଛନ୍ତି। ରାଜସ୍ୱ ଓ କୃଷି ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମିଳିତ କ୍ଷୟକ୍ଷତି ସର୍ଭେ କରାଯାଇ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସିଧାସଳଖ ବ୍ୟାଙ୍କ ଖାତା ମାଧ୍ୟମରେ ସରକାରୀ କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି।
ଏଥିସହ ବନ୍ୟା ପ୍ରଭାବିତ ଚାଷୀଙ୍କୁ ପୁନଃଚାଷ ପାଇଁ ପ୍ରାୟ ୭୦ ଦିନରେ ଅମଳକ୍ଷମ ‘ପାରିଜାତ’ ଧାନ ବିହନ ତୁରନ୍ତ ଯୋଗାଇ ଦେବାକୁ ସେ ମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି। ଏହାଦ୍ୱାରା ଚାଷୀମାନେ ସ୍ୱଳ୍ପ ସମୟରେ ଫସଲ ଅମଳ କରି ବନ୍ୟାଜନିତ କ୍ଷତି କିଛି ମାତ୍ରାରେ ଭରଣା କରିପାରିବେ ବୋଲି ସେ କହିଛନ୍ତି।
କ୍ଷତିଗ୍ରସ୍ତ ଚାଷୀଙ୍କୁ ପୁନଃଚାଷ ପାଇଁ ସାର ଓ କୀଟନାଶକରେ ସ୍ୱତନ୍ତ୍ର ରିହାତି ଦେବା ସହ କ୍ଷେତ୍ରସ୍ତରରେ ଆବଶ୍ୟକ କୃଷି ପରାମର୍ଶ ଓ ବୈଷୟିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ବିଧାୟିକା ଦାବି କରିଛନ୍ତି।
ବନ୍ୟା ସମସ୍ୟାକୁ କେବଳ ସାମୟିକ ରିଲିଫ୍ ବଣ୍ଟନରେ ସୀମିତ ନରଖି ନଦୀ ଓ ଜଳନିଷ୍କାସନ ପଥର ପୁନରୁଦ୍ଧାର, ଉପଯୁକ୍ତ ଜଳ ପରିଚାଳନା ଏବଂ ଦୀର୍ଘମିଆଦୀ ବନ୍ୟା ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣକୁ ନେଇ ଏକ ସମନ୍ୱିତ ପ୍ରକଳ୍ପ ହାତକୁ ନେବା ଆବଶ୍ୟକ ବୋଲି ଶ୍ରୀମତୀ ଜେନା ଦୃଢ଼ ଦାବି କରିଛନ୍ତି।



